ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।

216

କନକ ବ୍ୟୁରୋ : ଭାରତକୁ ସୁଇସ୍ ବ୍ୟାଙ୍କ ଆକାଉଂଟର ଦ୍ୱିିତୀୟ ତାଲିକା ମିଳିଛି । ସୁଇଜରଲ୍ୟାଣ୍ଡ ସରକାର ପୂର୍ବରୁ ହୋଇଥିବା ଚୁକ୍ତି ଅନୁସାରେ ଭାରତକୁ ଏହି ତଥ୍ୟ ମିଳିଛି । ଭାରତ ସମେତ ୮୬ଟି ଦେଶ ସହ ତଥ୍ୟ ବାଂଟିଛନ୍ତି ସୁଇଜରଲ୍ୟାଣ୍ଡ ସରକାର । ଏହି ଦେଶମାନଙ୍କୁ ସୁଇଜରଲ୍ୟାଣ୍ଡ ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ, ଏଫଟିଏ ପକ୍ଷରୁ ତଥ୍ୟ ଦିଆଯାଇଛି ।

୮୬ ଦେଶଙ୍କୁ ମୋଟ୍ ୩୧ ଲକ୍ଷ ଆକାଉଂଟର ତଥ୍ୟ ଦେଇଛି ଏଫଟିଏ । ତେବେ ଭାରତକୁ କେତୋଟି ଆକାଉଂଟର ତଥ୍ୟ ମିଳିଛି ସ୍ପଷ୍ଟ ହୋଇ ନାହିଁ । ଗତବର୍ଷ ସେପ୍ଟେମ୍ବରରେ ସୁଇସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଂଟ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଥମ ତାଲିକା ମିଳିଥିଲା । ଆସନ୍ତାବର୍ଷ ମଧ୍ୟ ଠିକ୍ ଏହିପରି ଆଉ ଏକ ତାଲିକା ଆସିବ । ଏହି ତାଲିକାରୁ ସୁଇସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କ ପରିଚୟ ଜଣାପଡ଼ିବ ।

୨୦୧୮ରେ ସୁଇସ ବ୍ୟାଙ୍କ ବିଭିନ୍ନ ଦେଶକୁ ଆକାଉଂଟ ତଥ୍ୟ ଦେଇଥିଲା । ହେଲେ ସେତେବେଳେ ଏହା ଭାରତକୁ ମିଳିନଥିଲା । ତେବେ ଗତବର୍ଷ ଅଗଷ୍ଟମାସରେ ସୁଇଜରଲ୍ୟାଣ୍ଡରୁ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଭାରତ ଆସିଥିଲା । ଏହି ସମୟରେ ଆକାଉଂଟ ତଥ୍ୟ ନେଇ ଭାରତୀୟ କର୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା । ଠିକ୍ ଏହା ପରେ ୨୦୧୯ ସେପ୍ଟେମ୍ବରରେ ଭାରତକୁ ସୁଇସ୍ ବ୍ୟାଙ୍କ ଆକାଉଂଟର ପ୍ରଥମ ତାଲିକା ମିଳିଥିଲା ।