ମହାଶକ୍ତିଙ୍କୁ ପଛରେ ପକାଇଲା ଭାରତ । ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ଓଡିଆ ପୁଅ ଜି.ସି. ମୁର୍ମୁ

743

କନକ ବ୍ୟୁରୋ: ବିଶ୍ୱସ୍ତରରେ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି( ଆଇଏଇଏ)ର ବର୍ହିହିସାବ ନିରୀକ୍ଷକ ଭାବେ ଭାରତକୁ ମିଳିଛି ନିଯୁକ୍ତି । ଏହି ପଦବୀ ପାଇଁ ଦୌଡରେ ରହିଥିବା ଋଷିଆ, ଆମେରିକା, ଜର୍ମାନୀ, ତୁର୍କୀ ଆଦିକୁ ପଛରେ ପକାଇ ଭାରତ ଏହି ସମ୍ମାନଜନକ ପଦବୀ ହାସଲ କରିଛି । ଏହି ପଦବୀରେ ଭାରତର ମହାସମୀକ୍ଷକ(ସିଏଜି) ଜି.ସି ମୁର୍ମୁଙ୍କୁ ନିଯୁକ୍ତ କରାଯାଇଛି । ଏହି ପଦବୀରେ ମୁର୍ମୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏବେ ସାରା ବିଶ୍ୱରେ ଭାରତର ପ୍ରତିପତ୍ତି ବୃଦ୍ଧି ପାଉଥିବାବେଳେ ଭାରତର ସିଏଜିଙ୍କ ଅଭିଜ୍ଞତା ଏବଂ କର୍ମନିଷ୍ଠାକୁ ଦେଖି ଭାରତକୁ ଏହି ପଦବୀ ମିଳିଥିବା ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏହି ପଦ ପାଇଁ ହୋଇଥିବା ଭୋଟିଂର ପ୍ରଥମ ପର୍ଯ୍ୟାୟରେ ଜର୍ମାନୀକୁ ୩୬ଟି, ଆମେରିକାକୁ ୮ଟି, ଋଷକୁ ୧୧ଟି , ଇଜିପ୍ଟକୁ ୨୦ଟି, କୋରିଆକୁ ୨ଟି ଓ ଫିଲିପାଇନ୍ସକୁ ୭ଟି ଭୋଟ ମିଳିଥିବାବେଳେ ଭାରତକୁ ୩୦ଟି ଭୋଟ ମିଳିଥିଲା । ହେଲେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ଭାରତ , ଜର୍ମାନୀ ଓ ଆମେରିକା ମଧ୍ୟରେ କଡା ଟକ୍କର ହୋଇଥିଲା । ହେଲେ ଶେଷରେ ଏହି ସମ୍ମାନଜନକ ପଦବୀ ଭାରତକୁ ମିଳିଛି ।