କନକ ବ୍ୟୁରୋ: ନିକଟରେ ଭାରତ-ଆମେରିକା ମ୍ୟାଚରେ ଭାରତକୁ ଅତିରିକ୍ତ ୫ ରନ ମିଳିଥିଲା । ଯାହା କ୍ରିକେଟ ଫ୍ୟାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ତେବେ କେଉଁ ନିୟମ ଆଧାରରେ ଭାରତ ୫ ରନ ପାଇଲା ତାକୁ ଜାଣିବା ପାଇଁ ଏବେ କ୍ରିକେଟ ଫ୍ୟାନଙ୍କ ମଧ୍ୟ ଉତ୍ସାହ ବଢିବାରେ ଲାଗିଛି । ଟି-୨୦ ମ୍ୟ।।ଚକୁ ଶୀଘ୍ର ଶେଷ କରିବାକୁ ଷ୍ଟପ କ୍ଲକ ନିୟମ ଲାଗୁ କରାଯାଇଛି । ଆଉ ଆମେରିକା ପ୍ରଥମ ଟିମ ଯିଏ ଏହି ନିୟମ ଆଧାରରେ ପେନାଲ୍ଟିର ଶିକାର ହୋଇଛି । ଏହି ପେନାଲ୍ଟି ସେତେବେଳେ ଲାଗିଥାଏ ଯେତେବେଳେ ଫିଲ୍ଡିଂ କରୁଥିବା ଟିମ ଲଗାତାର ୩ଥର ଗୋଟିଏ ମିନିଟ ଭିତରେ ଓଭର ଶେଷ କରିନଥାନ୍ତି । ଆଉ ପେନାଲ୍ଟି ସ୍ୱରୂପ ବ୍ୟାଟିଂ କରୁଥିବା ଟିମକୁ ୫ ରନ ମିଳିଥାଏ ।

Advertisment

ନ୍ୟୁୟର୍କର ନାସାଓ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆମେରିକା ଓ ଭାରତ ମଧ୍ୟରେ ଟ-୨୦ ବିଶ୍ୱକପ ମ୍ୟାଚ ଖେଳାଯାଉଥିଲା । ଭାରତ ବିଜୟ ପାଇଁ ୩୫ ରନ ଆବଶ୍ୟକ ହେଉଥିଲା, ଆଉ ପିଚ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ବେଶ କଷ୍ଟସାଧ୍ୟ ଥିଲା । ସେତେବେଳେ ଆମେରିକା ଏକ ବଡ ଭୁଲ କରିଥିଲା । ସେମାନେ ୩ ଥର ଗୋଟିଏ ଓଭରରୁ ଆଉ ଗୋଟିଏ ଓଭରକୁ ଯିବା ପାଇଁ ଗୋଟିଏ ମିନିଟରୁ ଅଧିକ ସମୟ ନେଇଥିଲେ । ଆଉ ନିୟମ ଆଧାରରେ ତାଙ୍କ ଉପରେ ପେନାଲ୍ଟି ଲାଗିଥିଲା ଆଉ ଭାରତକୁ ୫ ରନ ମିଳିଥିଲା ।

ଦିନିକିଆ, ଟି-୨୦ ମ୍ୟାଚରେ ଓଭର ରେଟକୁ ଉନ୍ନତ କରିବା ପାଇଁ ୧ ଜନରୁ ଷ୍ଟପ କ୍ଲକ ନିୟମ ସ୍ଥାୟୀ ଭାବେ ଲାଗୁ ହୋଇଯାଇଛି । କ୍ରିକେଟରେ ସ୍ଲୋ ଓଭର ରେଟ ନିୟମ ପୂର୍ବରୁ ରହିଛି । ଯେଉଁଥିରେ ଦିନିକିଆରେ ସାଢେ ୩ ଘଣ୍ଟାରେ ୫୦ ଓଭର ଓ ଟି-୨୦ରେ ୧ ଘଣ୍ଟାରେ ୨୫ ମିନିଟରେ ନିଜ କୋଟା ପୂରଣ କରିବାକୁ ହେବ । ଯଦି କେହି ଏହାର ଉଲ୍ଲଘଂନ କରନ୍ତି ତେବେ ତାଙ୍କୁ ଦଣ୍ଡିତ କରାଯାଏ ।

ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଗ୍ରୁପ ଷ୍ଟେଜ ମ୍ୟାଚ ଜାରି ରହିଛି । ଭାରତ ଗ୍ରୁପ ଷ୍ଟେଜରେ ୩ଟି ମ୍ୟାଚରୁ ୩ଟି ଜିତି ସୁପର ୮ରେ ପ୍ରବେଶ କରିସାରିଛି । ଗ୍ରୁପ ଷ୍ଟେଜରେ ଭାରତ ଆଉ ୨ଟି ମ୍ୟାଚ ଖେଳିବ । ସେହିପରି ଆମେରିକା ମଧ୍ୟ ଏବେ ସୁଦ୍ଧା ସୁପର ୮ରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଆମେରିକା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି । ଯଦି ଆମେରିକା ଆଗାମୀ ସବୁ ମ୍ୟାଚରେ ବିଜୟୀ ହୁଏ ତେବେ ସୁପର ୮ରେ ପ୍ରବେଶ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯିବ ଆଉ ପାକିସ୍ତାନ ପାଇଁ ସୁପର ୮ କଷ୍ଟ ହୋଇଯିବ । କାରଣ ପାକିସ୍ତାନ ଆରମ୍ଭରୁ ୨ଟି ମ୍ୟାଚରେ ପରାଜିତ ହୋଇସାରିଛି ।

ଟି-୨୦ ବିଶ୍ୱକପରେ ଏବେ ଯାଏଁ ବଡ ସ୍କୋର ଦେଖିବାକୁ ମିଳିନାହିଁ । କାରଣ ଆମେରିକାର ନ୍ୟୁୟର୍କ ପିଚ୍ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ଧିମା ରହିଥିବା ବେଳେ ବୋଲରଙ୍କ ପାଇଁ ଅନୁକୂଳ ରହିଛି । ଆଇପିଏଲରେ ୨୦୦ ଉପରେ ସ୍କୋର ହେଉଥିବାବେଳେ ଟି-୨୦ ବିଶ୍ୱକପରେ ୧୦୦ ରନ ବି ଚେଜ୍ କରିବା ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟ ହୋଇପଡିଛି ।