ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି କରିବାକୁ ଭାରତୀୟ ସେନାର ପ୍ରୟାସ । ନେପାଳ ସେନାକୁ ଦାନକଲା ୧ ଲକ୍ଷ ଡୋଜ୍ କରୋନା ଟିକା

76

କନକ ବ୍ୟୁରୋ : ଭାରତୀୟ ସେନା ତରଫରୁ ପଡୋଶୀ ଦେଶ ନେପାଳ ସହିତ ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି କରିବା ଲକ୍ଷରେ ନେପାଳ ସେନାକୁ ୧ ଲକ୍ଷ ଡୋଜ କରୋନା ଟିକା ଦାନ କରିଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନା ମୁତାବକ ଏହି ଟିକା ରବିବାର ଦିନ ତ୍ରିଭୂବନ ଆର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଠାରେ ନେପାଳ ସେନା ଅଧିକାରୀଙ୍କୁ ସମର୍ପିତ କରାଯାଇଛି ।

ଏହାପୂର୍ବରୁ ବି ଭାରତ ତରଫରୁ ଦେଶରେ ନିର୍ମିତ ୧ ମିଲିୟନ ଟିକା ନେପାଳକୁ ପ୍ରଦାନ କରିଥିଲା । ଏହି ଟିକାକୁ ନେପାଳ ତରଫରୁ ତୁରନ୍ତ ଆଗଧାଡିର କୋଭିଡ୍ ଯୋଦ୍ଧା ମାନଙ୍କୁ ଦିଆଯାଇଛି । ଗଣମାଧ୍ୟମର ସୂଚନା ମୁତାବକ ସୋମବାର ଦିନ ଚାଇନା ବି ନେପାଳକୁ ଚାଇନା ନିର୍ମିତ ୮ ଲକ୍ଷ କୋଭିଡ ଟିକା ପ୍ରଦାନ କରିଛି । ‘ହିମାଳୟନ ଟାଇମ୍ସ’ ପତ୍ରିକାର ସୂଚନା ମୁତାବକ ଚାଇନା ଦ୍ୱାରା ପ୍ରେରିତ କରାଯାଇଥିବା ଭେରୋସେଲ ଟିକା ତ୍ରିଭୂବନ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଂଚିବା ପରେ ନେପାଳରେ ଥିବା ଚୀନ ରାଜଦୂତ ନେପାଳର ସ୍ୱାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରୀ ହଦରେସ୍ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ ।

କହିରଖୁ ନେପାଳରେ ଏପର୍ଯ୍ୟନ୍ତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୭୬,୮୩୯ ରେ ପହଂଚିଛି । ଏହାସହ କରୋନା ସଂକ୍ରମଣରେ ନେପାଳରେ ୩.୦୨୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ କାଠମାଣ୍ଡୁ ପୋଷ୍ଟର ସୂଚନା ମୁତାବକ ନେପାଳରେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧.୭ ମିଲିୟନ ଲୋକଙ୍କୁ ଟିକା ଦେଇଛି ।