ଆଜିଠାରୁ ଭାରତକୁ ମିଳିଲା ୟୁଏନଏସସିର ଅଧ୍ୟକ୍ଷତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେବ ସୁରକ୍ଷା ପରିଷଦର ବୈଠକ

147

କନକ ବ୍ୟୁରୋ : ଆଜିଠାରୁ ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅଧ୍ୟକ୍ଷତା ସମ୍ଭାଳିବାକୁ ଯାଉଛି । ଏହି କ୍ରମରେ ୨୦୨୧ ସୁରକ୍ଷା ପରିଷଦ ବୈଠକରେ ଭାରତ ଅଧ୍ୟକ୍ଷତା କରିବ । ସଂଯୁକ୍ତ ରାଷ୍ଟ୍ରରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ଟି.ଏସ୍ ତିରୁମୂର୍ତ୍ତି କହିଛନ୍ତି କି ଭାରତ ୩ ଟି ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଛି । ଯେଉଁଥିରେ ସମୁଦ୍ର ସୁରକ୍ଷା, ଶାନ୍ତି ସ୍ଥାପନା ଓ ଆତଙ୍କବାଦ ମୁକାବିଲା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ସେହିଭଳି ସଂଯୁକ୍ତ ରାଷ୍ଟ୍ରରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଅକବରୂଦ୍ଦିନ କହିଛନ୍ତି କି, ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୧୯୯୨ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରସିଂମା ରାଓ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ । ସେ ଆହୁରି କହିଛନ୍ତି କି ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିଲେ ବି ଏହା ଭାରତ ପାଇଁ ଐତିହାସିକ ସଫଳତା ।

କହିରଖୁ କି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫ ଟି ଦେଶ ସାମିଲ ଅଛନ୍ତି । ଯେଉଁଥିରେ ୫ ଟି ଦେଶ ସ୍ଥାୟୀ ଓ ୧୦ ଟି ଦେଶ ଅସ୍ଥାୟୀ ସଦସ୍ୟତା ପାଇଛନ୍ତି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ଦେଶଗୁଡିକ ହେଲେ ଚୀନ, ଫ୍ରାନ୍ସ, ଋଷ, ବ୍ରିଟେନ ଓ ଆମରିକା । ଏହି ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟତା ପାଇଛି । ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ୨ ବର୍ଷର କାର୍ଯ୍ୟକାଳ ମିଳିଛି । ଯାହାକି ଜାନୁଆରୀ ପହିଲା ୨୦୨୧ ରୁ ଆରମ୍ଭ ହୋଇଛି ।

ଅଗଷ୍ଟ ପହିଲାରୁ ଭାରତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟକରିଛି । ଏହି ଅଧ୍ୟକ୍ଷତା ଗୋଟିଏ ମାସ ପାଇଁ ରହିବ । ପ୍ରତିମାସ ଇଂରାଜୀ ଅକ୍ଷର ଆଧାରରେ ଅଧ୍ୟକ୍ଷତା ବଦଳିବ । ଏହି କ୍ରମରେ ଡିସେମ୍ବର ୨୦୨୨ ରେ ଭାରତକୁ ପୁଣି ଅଧ୍ୟକ୍ଷତା କରିବାର ସୁଯୋଗ ମିଳିବ ।