ଟିମ୍ ଇଣ୍ଡିଆର ଘାତକ ବୋଲିଂ । ୮୫ ରନରେ ଅଲଆଉଟ ହେଲା ସ୍କଟଲାଣ୍ଡ, ସେମିଫାଇନାଲ ରାସ୍ତା ସହଜ କରିବାକୁ ବିରାଟ ବାହିନୀ ପାଖରେ ସୁଯୋଗ । 

129

କନକ ବ୍ୟୁରୋ : ସ୍କଟଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଘାତକ ବୋଲିଂ । ମାତ୍ର ୮୫ ରନ ଭିତରେ ସ୍କଟଲାଣ୍ଡକୁ ଅଲଆଉଟ କରିଛି ବିରାଟ ବାହିନୀ । ଆଉ ଏହାସହ ଭାରତର ସେମିଫାଇନାଲ ଆଶା ଆହୁରି ଉଜ୍ଜୀବିତ ହୋଇଛି । ୮୬ ରନର ବିଜୟ ଲକ୍ଷ୍ୟ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଏହି ବିଜୟଲକ୍ଷ୍ୟକୁ କମ ଓଭର ମଧ୍ୟରେ ଜିତିବାକୁ ଚାହିଁବ କୋହଲି ଆଣ୍ଡ କୋ ।

ଚଳିତ ଟି-୨୦ ବିଶ୍ୱକପରେ ଅଧିନାୟକ ବିରାଟ କୋହଲି ପ୍ରଥମ ଥର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଆଉ ବିରାଟଙ୍କ ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ସ୍କଟଲାଣ୍ଡ ବ୍ୟାଟରଙ୍କୁ ନିଜ ଘାତକ ବୋଲିଂ ବଳରେ ବାନ୍ଧି ରଖିଥିଲେ ଭାରତର ଉଭୟ ପେସ୍ ଓ ସ୍ପିନ ବାହିନୀ । ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହ ମାତ୍ର ୮୫ ରନ ମଧ୍ୟରେ ସ୍କଟଲାଣ୍ଡର ସମସ୍ତ ପ୍ଲେୟାରଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଭାରତୀୟ ବୋଲର । ଉଭୟ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ବୁମରାହା ୨ଟି, ଅଶ୍ୱିନୀ ଗୋଟିଏ ୱିକେଟ ନେଇ ସ୍କଟଲାଣ୍ଡର ସ୍କୋରକୁ ୮୫ ମଧ୍ୟରେ ସୀମିତ ରଖିଥିଲେ ।

ତେବେ ଯଦି ଭାରତ ୪୩ଟି ବଲରେ ସ୍କଟଲାଣ୍ଡକୁ ମାତ୍ ଦେଉଛି ତେବେ ରନରେଟରେ ଆଫଗାନିସ୍ତାନକୁ ଟପିଯିବ । ଯାହା ଭାରତର ସେମିଫାଇନାଲ ରାସ୍ତାକୁ ସହଜ କରିବ । ତେଣୁ ଟିମ୍ ଇଣ୍ଡିଆର ଓପନିଂ ଯୋଡିଙ୍କ ଠାରୁ ଏକ ଧୂଆଁଧାର ଇନିଂସ ଆଶା କରୁଛନ୍ତି କ୍ରିକେଟପ୍ରେମୀ ।