ଏସିଆନ ଗେମ୍ସର ପଦକରେ ଭାରତର ହାଫ୍ ସେଞ୍ଚୁରୀ ! ହକିରେ ଦେଖାଇଲା ଦମ, ସ୍ୱର୍ଣ୍ଣରୁ ଅଳ୍ପକେ ବଞ୍ଚିତ ହେଲେ ତୀରନ୍ଦାଜ ଟିମ୍

41

ଏସିଆନ ଗେମ୍ସର ଦଶମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଖାସକରି ପୁରୁଷ ୮୦୦ ମିଟର ଦୌଡ ପ୍ରତିଯୋଗିତାରେ ମନଜିତ ସିଂହ ସ୍ୱର୍ଣ୍ଣ ଜିତିବା ସହ ଭାରତ ପାଇଁ ଦିନଟିକୁ ଆହୁରୀ ସ୍ମରଣୀୟ କରି ଦେଇଥିଲେ । ସେହିଭଳି ଏହି ବିଭାଗରେ ଭାରତର ଜନସନ ଦ୍ୱୀତିୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ୪ ଗୁଣା ୪୦୦ ମିଟର ରିଲେର ମିଶ୍ରିତ ବର୍ଗରେ ଭାରତ ରୌପ୍ୟ ପଦକ ଜିତିବା ସହ ଆଜି ଦିନର ଖେଳର ପରିସମାପ୍ତି ଘଟିଥିଲା । ଆଉ ଏହି ପଦକ ସହ ଭାରତ ପଦକ ତାଲିକାରେ ହାପ ସେଞ୍ଚରୀ ମାରିଥିଲା ।

ଏହାପୂର୍ବରୁ ବ୍ୟାଡମିଣ୍ଟନରେ ଭାରତର ପିଭି ସିନ୍ଧୁ ଫାଇନାଲରେ ପରାସ୍ତ ହେବା ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ସେହିଭଳି ପୁରୁଷ ତୀରନ୍ଦାଜ ଟିମ ଅଳ୍ପକେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ । ଫାଇନାଲ ମ୍ୟାଚ ଟାଇ ହେବା ପରେ ଉତ୍ତର କୋରିଆ ଠାରୁ ପରାସ୍ତ ହୋଇଥିଲା ଭାରତୀୟ ପୁରୁଷ ତୀରନ୍ଦାଜ ଟିମ୍ । ସେହିଭଳି ମହିଳା ତୀରନ୍ଦାଜ ଟିମ ମଧ୍ୟ ଫାଇନାଲରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି । ତେବେ ହିମା ଦାସ ୨୦୦ ମିଟର ରେସରୁ ବାହାରିଯିବା ପରେ ଭାରତକୁ ବଡ ଝଟକା ଲାଗିଥିଲା । କାରଣ ହିମା ଦାସଙ୍କ ଠାରୁ ମଧ୍ୟ ଏକ ପଦକ ଆଶା ରଖିଥିଲା ଭାରତ ।

ତେବେ ନିରାଶା ଭିତରେ ପଦକ ଆଶାକୁ ଉଜ୍ଜିବୀତ କରିଛନ୍ତି ଭାରତୀୟ ହକି ଟିମ୍ ଓ ଓଡିଆ ଧାବିକା ଦୂତି ଚାନ୍ଦ । ପୂର୍ବ ଭଳି ପୁରୁଷ ହକିରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛି ଭାରତ । ଶ୍ରୀଲଙ୍କାକୁ ୨୦-୦ ଗୋଲରେ ମାତ୍ ଦେଇ ନିଜ ଗ୍ରୁପର ସମସ୍ତ ମ୍ୟାଚକୁ ଜିତି ନେଇଛି ଭାରତ । ପୁରା ମ୍ୟାଚରେ ଭାରତ ଆଧିପତ୍ୟ ବିସ୍ତାର କରି ଶ୍ରୀଲଙ୍କାକୁ ପରାସ୍ତ କରିଛି । ସେହିଭଳି ଓଡିଆ ଝିଅ ଦୂତି ଚାନ୍ଦ ୨୦୦ ମିଟର ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ଦୂତି ଚାନ୍ଦ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ତେଣୁ ତାଙ୍କ ଠାରୁ ଏକ ପଦକର ଆଶା ରଖିଛି ଭାରତ । ତେବେ ୧୦ମ ଦିନର ଖେଳ ଶେଷ ସୁଦ୍ଧା ୯ଟି ସ୍ୱର୍ଣ୍ଣ ସହ ୫୦ ପଦକ ହାତେଇଛି ଭାରତ । ଆଉ ଏହାସହ ପଦକ ତାଲିକାର ଅଷ୍ଟମ ସ୍ଥାନକୁ ଉଠିଛି ଭାରତ ।