ଦେଶ ପାଇଁ ବଳିଦାନ ଦେଇଥିବା ପ୍ରାଣୀମାନଙ୍କ ପାଇଁ ଯୁଦ୍ଧ ସ୍ମାରକୀ । ମିରଟରେ ହେବ ଭାରତର ପ୍ରଥମ ଯୁଦ୍ଧ ସ୍ମାରକୀ, ସହିଦ ସୈନ୍ୟଙ୍କ ଭଳି ମିଳିବ ସମ୍ମାନ ।

314

କନକ ବ୍ୟୁରୋ: ୨୦୧୬ରେ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ସାମରିକ ଅଭିଯାନରେ ପ୍ରାଣ ହରାଇଥିବା ଗୋଟାଏ କୁକୁର ନିମନ୍ତେ ମିରଟରେ ଏକ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯିବା ଲାଗି ଯୋଜନା ହେଉଛି । ୧୯୯୯ ମସିହାରେ ଭାରତ ପାକିସ୍ତାନ ବିରୋଧରେ କାର୍ଗିଲ୍ ଯୁଦ୍ଧ ଲଢ଼ିବା ବେଳେ ପ୍ରାଣ ହରାଇଥିବା ପ୍ରାଣୀମାନେ ମଧ୍ୟ ଏଥିରେ ସ୍ଥାନ ପାଇବେ ।

ଏହି ଅଭିନବ ସ୍ମାରକୀରେ ଅଧିକାଂଶ କୁକୁର ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ରହିବ । ଯୁଦ୍ଧ କ୍ଷେତ୍ରରେ ବୀରତ୍ୱ ପ୍ରଦର୍ଶନ, କର୍ତ୍ତବ୍ୟନିଷ୍ଠ ଏବଂ ସୈନିକମାନଙ୍କ ପାଖରେ ରହି ସାମରିକ ସେବା କରିଥିବା ପ୍ରାଣୀମାନଙ୍କ ନିମନ୍ତେ ଏହା ହେବ ଭାରତର ପ୍ରଥମ ଯୁଦ୍ଧ ସ୍ମାରକୀ । ଏହା ଦିଲ୍ଲୀସ୍ଥିତ ‘ନ୍ୟାସ୍ନାଲ୍ ଓ୍ଵାର୍ ମେମୋରିଆଲ୍’ ଭଳି ହେବାକୁ ଥିଲେ ବି ଆକାରରେ କ୍ଷୁଦ୍ରତର ହେବ । ଏଥିନିମନ୍ତେ ଖୁବ୍ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପାଖରୁ ଅନୁମୋଦନ ମିଳିଯିବ ବୋଲି ସେନାବାହିନୀର ଅଧିକାରୀମାନେ କହିଛନ୍ତି ।

ସ୍ମାରକୀସ୍ଥଳରେ ଖଣ୍ଡେ ଗ୍ରାନାଇଟ୍ ଶିଳା ଉପରେ ୩୦୦ କୁକୁର, ୩୫୦ କୁକୁର ପରିଚାଳକ, ଅଳ୍ପ କେତେକ ଅଶ୍ୱ ଏବଂ ଖଚରଙ୍କ ନାମ ଖୋଦେଇ କରାଯିବ । ମିରଟର ‘ରିମାଉଣ୍ଟ୍ ଆଣ୍ଡ୍ ଭେଟରିନାରି କର୍ପସ୍ ସେଣ୍ଟର୍ ଓ କଲେଜ୍’ରେ ଏହି ସ୍ମାରକୀ ନିର୍ମାଣ କରାଯିବ। ଏଠାରେ ସେନାବାହିନୀ କୁକୁର, ଖଚର ଏବଂ ଘୋଡ଼ାମାନଙ୍କ ପ୍ରଜନନ, ପାଳନ ଓ ତାଲିମ ହୁଏ ।