କନକ ବ୍ୟୁରୋ : ଉପରମୁହାଁ କରୋନା ମିଟର । ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୧,୯୮୬ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୩,୬୮,୩୭୨ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୦,୮୯୫ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୪,୧୨,୭୪୦ । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୭୨,୧୬୯ । ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୩,୦୭୧ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୦,୬୧,୯୨,୯୦୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୮,୮୪,୭୦,୯୫୯ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୧୫,୨୯,୯୮୪ଟି ନମୁନା । ଦେଶରେ ଦୈନିକ ପଜିଟିଭିଟି ହାର ୯.୨୮% ରହୁ ଛି।
ଦିଲ୍ଲୀରେ ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି । ୨୪ଘଂଟାରେ ୧୭ ହଜାରରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ୍ ୧୭ ଦଶମିକ ୭୩ ପ୍ରତିଶତ ଟପି ଯାଇଛି । ଅର୍ଥାତ ଶହେ ଜଣ ଟେଷ୍ଟ କଲେ ୧୮ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଆଜିଠୁ ଦିଲ୍ଳୀରେ ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି । ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।
ତେବେ ରାସନ ଓ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଏହି ସମୟରେ କେହି ଘରୁ ବାହାରିବାକୁ ମନା କରାଯାଇଛି । କିନ୍ତୁ ଜରୁରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଚଳପ୍ରଚଳ ପାଇଁ ଅନୁମତି ଦିଆଯାଇଛି ।