ଲକଡାଉନର ସଫଳତା କଥା କହିଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣକୁ ମନ୍ଥର କଲା ଲକଡାଉନ ଓ କଣ୍ଟେନମେଣ୍ଟ କଟକଣା, ତାଲାବନ୍ଦ ହୋଇନଥିଲେ ୨ଲକ୍ଷ ଟପିସାରନ୍ତାଣି ଆକ୍ରାନ୍ତଙ୍କ ସଂଖ୍ୟା ।

397

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଲକ୍ ଡାଉନ ଯୋଗୁଁ କଣ୍ଟେନ୍ମେଣ୍ଟ କଟକଣା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର । ଲକ ଡାଉନର ସଫଳତା କଥା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସେ କହିଛନ୍ତି କି, ମାର୍ଚ୍ଚ ୨୫ ପୂର୍ବରୁ କରୋନା ସଂକ୍ରମଣର ବେଗ ଯାହା ଥିଲା, ତାହା ଜାରି ରହିଥିଲେ ଆଜି ଦେଶରେ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥାନ୍ତେ ।

ଏହାଛଡା ଆଇସିଏମଆର ରିପୋର୍ଟ ବାବଦରେ ସ୍ପଷ୍ଟୀକରଣ ଦେଇ କହିଥିଲେ, ତାହା କରୋନା ସଂକ୍ରମଣର ଏକ ବିସ୍ତୃତ ବିଶ୍ଲେଷଣ ତଥ୍ୟ । ଲକଡାଉନ ଯୋଗୁଁ ଦେଶରେ କରୋନା ସଂକ୍ରମଣର ବେଗ ମନ୍ଥର ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ । କରୋନା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଦେଇ ଲବ ଅଗ୍ରୱାଲ କହିଥିଲେ ଦେଶରେ ୫୮୬ଟି କୋଭିଡ- ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂପୃକ୍ତ ହସ୍ପିଟାଲ ଗୁଡିକରେ ୧ ଲକ୍ଷ ଆସୋଲେସନ ବ୍ୟାଡ ପ୍ରସ୍ତୁତ ରହିଛି ।

ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୭ ହଜାର ୭୪୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୪୩ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩୯କୁ ଛୁଇଁଛି । ଗତ ୨୪ ଘଂଟାରେ ୧ ହଜାର ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣଙ୍କ ମୃତ୍ୟୁ ହୋଇଛି ।