ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଲୋକଙ୍କ ଉପରେ ସରକାରଙ୍କ ନଜର । ୨୨ରୁ ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍, ବାକି ୫ ରିପୋର୍ଟକୁ ଅପେକ୍ଷା ।

1,006

କନକ ବ୍ୟୁରୋ: ଓଡ଼ିଶାର କେଉଁମାନେ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିଲେ, ସମସ୍ତଙ୍କୁ ଚିହ୍ନଟ କରିବା ସହ କେଉଁମାନେ ଫେରିଛନ୍ତି, କେଉଁମାନେ ବାହାରେ ଅଟକି ରହିଛନ୍ତି, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତନାଘନା ଜାରି ରହିଛି । ସମାବେଶରେ ଯୋଗ ଦେଇ ଓଡ଼ିଶା ଫେରିଥିବା ୨୨ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସମସ୍ତଙ୍କୁ କ୍ୱାରାଂଟିନ୍ରେ ରଖାଯାଇଛି । ତେବେ ଏଭଳି ସମାବେଶରେ ସଂକ୍ରମଣର ଭୟ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଡିଏମ୍ଇଟି ।

ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡ଼ିଶା ଫେରିଥିବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ୭ ଜଣ ବିଦେଶୀ ନାଗରିକ ଅଛନ୍ତି । ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ୧୫ ଜଣଙ୍କ ନମୁନା ନେଗେଟିଭ୍ ଆସିଛି । ଯେଉଁ ୧୫ ଜଣଙ୍କ ନମୁନା ନେଗେଟିଭ୍ ଆସିଛି, ସେଥିରେ ରାଉରକେଲାର ୧୨ଜଣ, କେନ୍ଦ୍ରାପଡ଼ା, କଟକ ଓ ଗଂଜାମର ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି । ବାକି ଥିବା ୭ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତବଲିଗି-ଇ-ଜମାତ ଧାର୍ମିକ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରତିନିଧିମାନେ ସାମିଲ ହୋଇଥିଲେ । ତେବେ ଓଡ଼ିଶାରୁ କେତେ ଜଣ ଯାଇଥିଲେ, ଏବଂ କାହା କାହା ସଂସ୍ପର୍ଶରେ ଆସିଥିଲେ, ପୂରା ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି ପ୍ରଶାସନ । ନିଜାମୁଦ୍ଦିନ ସମାବେଶକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟ ସୃଷ୍ଟି ହୋଇଛି । ସଚେତନ ରହିଲେ ଗୋଷ୍ଠୀ ସଂକ୍ରମଣ ହେବ ନାହିଁ ବୋଲି ଆଶା ପ୍ରକାଶ କରିଛନ୍ତିି ଡିଏମଇଟି ସିବିକେ ମହାନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡ଼ିଶା ସମେତ ୨୩ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଂଚଳର ଲୋକ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିଲେ । ଏହି ସମାବେଶରେ ଯୋଗ ଦେଇଥିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୯୦୦୦ ଲୋକଙ୍କୁ ସଙ୍ଗରୋଧ କରାଯାଇଛି । ସେଥିରେ ୧୩୦୬ ଜଣ ବିଦେଶୀ ରହିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି – ଏହି ସମାବେଶରେ ସାମିଲ ହୋଇଥିବା ପ୍ରାୟ ୪୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ତବଲିଗି-ଇ-ଜମାତ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ କିଛି ଲୋକ ଓଡ଼ିଶାକୁ ଫେରି ଆସିଥିବା ବେଳେ ଆଉ କିଛି ଲୋକ ଦିଲ୍ଲୀରେ ଅଟକି ରହିଥିବା ଜଣାପଡିଛି ।