ଦିନକରେ ଦେଶରେ ୧୩ଶହ ନୂଆ ଆକ୍ରାନ୍ତ ଚିହ୍ନଟ । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୩୮୧, ଦୁଇ ସପ୍ତାହରେ ୮୫ ଜିଲ୍ଲାରୁ ଆସିନି କୌଣସି ପଜିଟିଭ୍ ମାମଲା

625

କନକ ବ୍ୟୁରୋ: ୨୪ ଘଂଟାରେ ଦେଶରେ ୧୩ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୨୪ ଘଂଟାରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ୩୮୧ କରୋନା ଆକ୍ରାନ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ଅନୁସାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୨୨.୧୭ ପ୍ରତିଶତ ରହିଛି । ୧୪ ଦିନ ୮୫ ଜିଲ୍ଲାରୁ କୌଣସି ମାମଲା ନାହିଁ । ସେହିଭଳି ୨୮ ଦିନ ହେବ ୧୬ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଯାହା ଦେଶବାସୀଙ୍କ ପାଇଁ ଏକ ଭଲ ଖବର ।

ସେପଟେ ଦେଶବାସୀଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯେତେବେଳେ ସାରା ବିଶ୍ୱ ଏବେ ଅଦୃଶ୍ୟ ଶତ୍ରୁ ସହ ଲଢେଇ କରୁଛି । ଆମ ଦେଶ ମଧ୍ୟ ଲଢେଇ ଜାରି ରଖିଛି । ଏ ଲଢେଇ ରୋଗ ବିରୋଧରେ, ରୋଗୀଙ୍କ ବିରୋଧରେ ନୁହେଁ । ଯଦି ଲୋକେ ସଚେତନ ନହେବେ ତେବେ ଅସୁବିଧା ବଢିଯିବ । ଅନେକ ସମୟରେ ସଚେତନତାର ଅଭାବ ହିଁ ସମସ୍ୟା ବଢାଉଥିବା ଦେଖିବାକୁ ମିଳୁଛି । ତେଣୁ ସତର୍କ ଓ ସଚେତନ ହୋଇ କରୋନା ଯୁଦ୍ଧ ଲଢିବାରୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।