ସ୍ନେହଶ୍ରଦ୍ଧା ମଝିରେ ଅପେକ୍ଷାର ପାଚେରୀ । ବାରଣ୍ଡାରେ ବାପା, କବାଟ ପାଖରେ କୁନି ଝିଅ… ଗୋଟିଏ ଫଟୋରେ ‘କରୋନା’ର କୋଟିଏ କାହାଣୀ…

ଏଇ କିଛି ଦିନ ହେବ ତମେ ମୋତେ ଗେହ୍ଲା କରିନ... ପିଠିରେ ବସାଇ ହାତୀ ଘୋଡା ହୋଇନ... ସେଥିପାଇଁ ତମକୁ ଫାଇନ ଦେବାକୁ ପଡିବ । ଆଉ ମତେ ବାହାରକୁ ନେବାକୁ ପଡିବ । ମୁଁ ବି ତମ ସହ ସେ କରୋନାକୁ ପିଟି ପିଟି ତଡିବି... ସେ ବାହାରେ ଥିବା ଯାଏଁ ତମେ ଘରକୁ ଆସୁନ... ବାପା ପ୍ଲିଜ ମତେ ତମ ସହ ନିଅ, ଯଦି ନନେବ ଆଜିଠୁ ତମ ସହ କଟି...କଟି...କଟି...

911

କନକ ବ୍ୟୁରୋ: ବାପା ! ତମେ ଘରକୁ କେବେ ଆସିବ ? ତମ କୁନି ଝିଅ କଥା ତମର କଣ ମନେ ପଡୁନି… ସବୁଦିନ ଆସୁଛ ଘର ବାହାରୁ ପୁଣି ପଳାଇ ଯାଉଛ… କେତେବେଳେ ଆସୁଛ, କେତେବେଳେ ଯାଉଛ ମୁଁ କିଛି ଜାଣି ପାରୁନି । ନିଦ ଭାଙ୍ଗିବା ବେଳକୁ ତମେ ନଥିବ କି ବିଛଣାକୁ ଯିବା ପର୍ଯ୍ୟନ୍ତ ତମେ ଆସିନଥିବ । ଜାଣିଛ ତମେ ନାହଁ ବୋଲି ମତେ ରାତିରେ ନିଦ ହେଉନି କି ଭଲ ବି ଲାଗୁନି… ତମେ ମୋ ମୁଣ୍ଡ ଆଉଁସି ଦେଲେ ପରା ମୁଁ ସାଙ୍ଗେ ସାଙ୍ଗେ ଶୋଇଯାଏ, ହେଲେ ଏବେ…??? ଛାଡ ସେ କଥା ଏଇ କିଛି ଦିନ ହେବ ତମେ ମୋତେ ଗେହ୍ଲା କରିନ… ପିଠିରେ ବସାଇ ହାତୀ ଘୋଡା ହୋଇନ… ସେଥିପାଇଁ ତମକୁ ଫାଇନ ଦେବାକୁ ପଡିବ । ଆଉ ମତେ ବାହାରକୁ ନେବାକୁ ପଡିବ । ମୁଁ ବି ତମ ସହ ସେ କରୋନାକୁ ପିଟି ପିଟି ତଡିବି… ସେ ବାହାରେ ଥିବା ଯାଏଁ ତମେ ଘରକୁ ଆସୁନ… ବାପା ପ୍ଲିଜ ମତେ ତମ ସହ ନିଅ, ଯଦି ନନେବ ଆଜିଠୁ ତମ ସହ କଟି…କଟି…କଟି…

ଲକଡାଉନ ବେଳେ ସାମ୍ନାକୁ ଆସିଛି ଏକ ଲୁହକୋହର ବତୁରା ଫଟୋ । ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ । ଏ ଫଟୋରେ ଜଣେ କୁନି ଝିଅ ତା ପୋଲିସ ବାପାକୁ ଅଭିମାନ ଭରା କଣ୍ଠରେ ଏମିତି କିଛି କହୁଥାଇ ପାରେ । ବାପାକୁ ପାଖରେ ପାଉନଥିବାରୁ, ବାପାକୁ କୋଳେଇ ପାରୁନଥିବାରୁ ନାକ ଫୁଲେଇ ଗୋଡ କଚାଡି କବାଟ ପାଖରୁ ନିଜର ଅଭିମାନ ଜଣାଉ ଥାଇପାରେ ଗେହ୍ଲି ଝିଅ । ତାଲାବନ୍ଦ ପାଇଁ ପୂରା ପୋଲିସ ଟିମ୍ ବାହାରେ ମୁତୟନ ଥିବାରୁ ପୋଲିସ ପରିବାରର ଅବସ୍ଥା କେମିତି ଥିବ ତାହା ଏହି ଫଟୋରୁ ବାରି ହୋଇ ପଡୁଛି ।

ତେବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏ କଥାକୁହା ଫଟୋଟି ହଜାରେ କାହାଣୀ କହୁଛି । ଫଟୋରେ ଥିବା ଏ ପୋଲିସ ବାବୁ ସେ କୁନି ଝିଅର ବାପା ହୋଇଥାଇ ପାରନ୍ତି ? କିମ୍ବା ପୋଲିସ ବାବୁ ଜଣଙ୍କ ସେ କୁନି ଝିଅକୁ ଦେଖି ଗାଁରେ ଥିବା ନିଜ ଝିଅ କଥା ବି ଭାବୁଥାଇ ପାରନ୍ତି । ଏମିତି ବି ହୋଇପାରେ ଡ୍ୟୁଟିରୁ ଫେରୁନଥିବା ବାପା ଅପେକ୍ଷାରେ ଥିବା ଝିଅ ଘର ବାହାରେ ପୋଲିସକୁ ଦେଖି ନିଜ ବାପା ଭାବି ଦୌଡିଯାଇଥିବ । ଅବା ଖରାତରାରେ କରୋନା ସହ ଲଢୁଥିବା ସେ ପୋଲିସ ବାବୁ ନିଜ ସବୁ କଷ୍ଟକୁ ଦୂରେଇ ଦେବାକୁ କୁନି ଝିଅର ଦରୋଟି ହସ ଉପଭୋଗ କରୁଥାଇ ପାରନ୍ତି… ସେ ଯାହା ବି ହେଉନା କାହିଁକି ଫଟୋ ପଛରେ ଚୁଲିଥିବା ପ୍ରତ୍ୟକଟି କାହାଣୀ ଛାତିକୁ ଓଦା କରିଦେବ ନିଶ୍ଚୟ…

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଆଉ ଏକ ଫଟୋ ବି ଆପଣଙ୍କ ହୃଦୟକୁ ଭାରି ଭାରି କରିଦେବ । ରାସ୍ତା କଡରେ କାର୍ଯ୍ୟରତ ଜଣେ ପୋଲିସ ଖାଇବା ବେଳେ ନିଜ ପରିବାର କଥା ମନେ ପକାଉଛନ୍ତି । ଘରେ ଖାଇବା ସମୟରେ ତାଙ୍କ ଝିଅ କେମିତି ତାଙ୍କ ପିଠି ଉପରେ ନାଉ ହୁଏ ଆଉ ପତ୍ନୀ କେମିତି ଖାଦ୍ୟ ପରଷି ଦିଅନ୍ତି ସେ କଥା ଅତି ନିଖୁଣ ଭାବେ ଅନ୍ୟ ଏକ ଚିତ୍ରରେ ଫୁଟାଇଛନ୍ତି ଚିତ୍ରଶିଳ୍ପୀ । ଯାହା ସମସ୍ତଙ୍କୁ ଭାବବିହ୍ୱଳ କରିବାକୁ ବାଧ୍ୟ କରିବ…

ତେବେ ଲକଡାଉନ ସମୟରେ ନିଜ ଘର ପରିବାର ଭୁଲି ଜୀବନକୁ ବାଜିରେ ଲଗାଇ ରାଷ୍ଟ୍ର ରକ୍ଷକ ସାଜିଛନ୍ତି ପୋଲିସ କର୍ମୀ । ଆମ ସମସ୍ତଙ୍କ ଜୀବନ ବଞ୍ଚାଇବାକୁ ସଙ୍କଳ୍ପ ନେଇ ନିଜର ସବୁ ସୁଖକୁ ଭୁଲି ଡହଡହ ଖରାରେ ଦିନ ରାତି ସେବା କରି ଆସୁଛନ୍ତି । ତାଲାବନ୍ଦ ବେଳେ ପୋଲିସର ଏହି ନିସ୍ୱାର୍ଥପର ସେବା ଦେଖି ପିଲାବେଳୁ ପୋଲିସ ପ୍ରତି ସମସ୍ତଙ୍କ ମନରେ ଥିବା ଡର ସ୍ନେହରେ ବଦଳିଯାଇଛି । ତେଣୁ ଆମ ପାଇଁ ରାସ୍ତାକୁ ଓହ୍ଲାଇ ଥିବା ଏ ଦରଦୀ ମଣିଷ ମାନଙ୍କ ପାଇଁ ଆମେ ଘରେ ରହି କଣ ସଲାମ ଜଣାଇ ପାରିବାନି… ? ବାଟରେ ଦେଖିଲେ ହାତଯୋଡି ଥରେ ସମ୍ମାନ ଜଣାଇ ପାରିବାନି…? ଆମ ସ୍ନେହ ହିଁ ହେବ ସେମାନଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ…