ବ୍ରିଟେନ ସଂସଦରେ ଭାରତର କୃଷକ ଆନ୍ଦୋଳନ ଚର୍ଚ୍ଚା । କଡା ବିରୋଧ କଲା ଭାରତ, ଭାରତୀୟ ହାଇକମିସନ କହିଲେ ଏପରି ଏକତରଫା ବିତର୍କ ନିନ୍ଦନୀୟ

88

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଶହେ ଦିନରୁ ଅଧିକ ସମୟ ହେଲା ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବ୍ରିଟେନ ସଂସଦରେ ଆଲୋଚନା ହୋଇଛି । ଯାହାକୁ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ, କଡା ସମାଲୋଚନା କରିଛନ୍ତି । ହାଇକମିଶନ କହିଛନ୍ତି, ବିଶ୍ୱର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ଭାରତର ଆଭ୍ୟନ୍ତରୀଣ ମାମଲାକୁ ନେଇ, ବିନା ଯାଂଚ କରି ଭୁଲ ତଥ୍ୟ ଅଧାରରେ ଏକତରଫା ବିତର୍କ କରିବା ନିନ୍ଦନୀୟ ।

ଭାରତୀୟ ହାଇକମିଶନ କହିଛନ୍ତି, ପୁଣି ଥରେ ବ୍ରିଟିଶ ଭାରତୀୟ ସମୁଦାୟଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । କେତେବେଳେ ଭାରତର ସଂଖ୍ୟାଲଘୁଙ୍କୁ ସୁରକ୍ଷାକୁ ସନ୍ଦେହ କରାଯାଉଛି, ପୁଣି କେତେବେଳେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନର ମିଛି ବି ପ୍ରଚାର କରାଯାଉଛି ।

ଭାରତରେ ଆନ୍ଦୋଳନରତ କୃଷକଙ୍କ ସୁରକ୍ଷା ଓ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇ ଭାରତୀୟ ହାଇକମିଶନ କହିଛନ୍ତି, ବ୍ରିଟେନ ମିଡିଆ ସମେତ ବିଶ୍ୱର ଅନ୍ୟ ଗଣମାଧ୍ୟମ ଭାରତର ଅଛନ୍ତି । ଏବଂ କୃଷକ ଆନ୍ଦୋଳନର ଖବର ସଂଗ୍ରହ କରୁଛନ୍ତି, ଏପରି ସ୍ଥିତିରେ ଗଣମାଧ୍ୟମର ସ୍ୱାଧିନତାକୁ ନେଇ ପ୍ରଶ୍ନ କରାଯାଇ ପାରିବ ନାହିଁ । ଭାରତ ଓ ବ୍ରିଟେନ ମଧ୍ୟରେ ସଂପର୍କ ନିବିଡ ଥିବାରୁ ଛୋଟମୋଟ ଘଟଣାରେ ପ୍ରତିକ୍ରିୟା ଦିଅନ୍ତି ନାହିଁ ଭାରତୀୟ ହାଇକମିଶନ । ହେଲେ ଏଥର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ବିଦେଶ ସଂସଦରେ ଚର୍ଚ୍ଚା ହୋଇଥିବାରୁ ସେ ମୁହଁ ଖୋଲିଛନ୍ତି ।

ବ୍ରିଟେନ ସଂସଦରେ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ୯୦ ମିନିଟ ଧରି ଚର୍ଚ୍ଚା ହୋଇଛି । ଅନଲାଇନ ପିଟିସନ ଜରିଆରେ ଏକ ଦଶମିକ ୧୬ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଆବେଦନ ଆଧାରରେ ଏହି ଆଲୋଚନା ହୋଇଛି ।

ଭାରତରେ ଆନ୍ଦୋଳନରତ କୃଷକଙ୍କ ସୁରକ୍ଷା ଓ ଗଣମାଧ୍ୟମର ସ୍ୱାଧିନତାକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ଉପରେ ଚାପ ପକାଇବାକୁ ଆବେଦନରେ ଅପିଲ କରାଯାଇଥିଲା । ଲଣ୍ଡନର ପୋର୍ଟକୁଲିସ ହାଉସରେ ହୋଇଥିବା ଆଲୋଚନାରେ କଞ୍ଜରଭେଟିଭ ପାର୍ଟିର ଥେରେସା ବିଲିୟର୍ସ ସିଧା କହିଥିଲେ ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଏହାକୁ ନେଇ କୌଣସି ବିଦେଶୀ ସଂସଦରେ ଆଲୋଚନା କରାଯାଇପାରିବ ନାହିଁ ।

ସେହିପରି ଚର୍ଚ୍ଚାରେ ଜବାବ ଦେବାପାଇଁ ନିଯୁକ୍ତ ବ୍ରିଟେନ ମନ୍ତ୍ରୀ ନିଗେଲ ଏଡମ୍ସ କୃଷି ବ୍ୟବସ୍ଥାରେ ସଂସ୍କାର ଭାରତର ଘରୋଇ ବ୍ୟାପାର । ଏହାକୁ ନେଇ ବ୍ରିଟେନ ମନ୍ତ୍ରୀ ଲଗାତାର ଭାରତୀୟ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି । ଖୁବ ଶୀଘ୍ର ଆଲୋଚନା ଜରିଆରେ ଭାରତ ସରକାର ଓ କୃଷକ ସଂଗଠନ ମଧ୍ୟରେ ସମାଧାନର ରାସ୍ତା ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

କୋଭିଡ ପ୍ରୋଟୋକଲ ଯୋଗୁଁ କିଛି ସାଂସଦ ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଚର୍ଚ୍ଚାରେ ସାମିଲ ହୋଇଥିଲେ ଆଉ କିଛି ସାଂସଦ ସଂସଦରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ତେବେ ଚର୍ଚ୍ଚା ସମୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲା ଲେବର ପାର୍ଟି ।

ବ୍ରିଟେନର ଲେବର ପାର୍ଟିର ସାଂସଦ ତନମନଜିତ ସିଂ ଧେସିଙ୍କ ନେତୃତ୍ୱରେ ୩୬ ବ୍ରିଟିଶ ସାଂସଦ ଭାରତର ଚାଷୀ ଆନ୍ଦୋଳନ ସମର୍ଥନରେ ରାଷ୍ଟ୍ରମଣ୍ଡଳ ସଚିବ ଡୋମିନିକ ରାବଙ୍କୁ ଚିଠି ଲେଖିଥିଲେ । ଏହି ଚିଠିରେ କୃଷକ ଆଇନ ବିରୋଧରେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଦାବି କରାଯାଇଥିଲା ।