ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି । ଆଉ ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ । ଉପକୃତ ହେବେ ୮୧ କୋଟିରୁ ଅଧିକ ଲୋକ

371

କନକ ବ୍ୟୁରୋ: ଦେଶରେ କେହି ବି ଜଣେ ଯେମିତି ଭୋକିଲା ରହିବ ନାହିଁ । ପ୍ରତି ଗରିବ ପରିବାର ମାଗଣାରେ ପାଇବେ ଚାଉଳ ଓ ଗହମ । ଏହି ଲକ୍ଷ୍ୟ ନେଇ କେନ୍ଦ୍ରର ମୋଦୀ ସରକାର ଆରମ୍ଭ କରିଥିବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ଶେଷ ହେବା ଆଗରୁ ପୁଣି ୫ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର ।

  • ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ
  • ବଢ଼ିଲା ପିଏମଜିକେଏୱାଇ ଯୋଜନାର ଅବଧି

୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତି ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ, ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆହୁରି ୫ବର୍ଷ ବର୍ଷ ପର୍ଯ୍ୟନ୍ତ ବଢ଼ାଇକୁ ନିଷ୍ପତି ହୋଇଛି । କ୍ୟାବିନେଟର ନିଷ୍ପତି ଅନୁସାରେ…

  • ଆହୁରି ୫ ବର୍ଷ ଯାଏଁ ଗରିବ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ
  • ୮୧ କୋଟି ୩୧ ଲକ୍ଷ ଗରିବ ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଦେବ କେନ୍ଦ୍ର
  • ପ୍ରତି ମାସରେ ମାଗଣାରେ ୫ କିଲୋ ଖାଦ୍ୟ ସାମଗ୍ରୀ ପାଇବେ ହିତାଧିକାରୀ
  • ଏଥିପାଇଁ କେନ୍ଦ୍ର ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ

ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ୩୧ ଡିସେମ୍ବର ୨୦୨୩ରେ ଶେଷ ହୋଇଥାନ୍ତା । ତେବେ ଏହା ବନ୍ଦ ନହୋଇ ଆସନ୍ତା ୫ ବର୍ଷ ଯାଏଁ ଚାଲିବ । ଅର୍ଥାତ ୨୦୨୮ ପର୍ଯ୍ୟନ୍ତ ଏହି ଯୋଜନରୁ ଲାଭ ପାଇବେ ହିତାଧିକାରୀ । କିନ୍ତୁ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ନେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିରୋଧୀ ଏହାକୁ ମୋଦୀଙ୍କ ନିର୍ବାଚନୀ ଥୋପ କହିଥିବା ବେଳେ ବିଜେପି କହିଛି, ଗରିବଙ୍କ ପାଇଁ କାମ କରୁଛନ୍ତି କେନ୍ଦ୍ର ସରକାର ।

ମାଗଣା ବଣ୍ଟନ ଯୋଜନାକୁ ନେଇ ଦେଶରେ ସବୁବେଳେ ରାଜନୀତି ହୋଇ ଆସିଛି । ରାଜନୈତିକ ଦଳ ମାନେ ପରସ୍ପରକୁ ଦୋଷ ଦେଇ ଆସିଛନ୍ତି । ଆଉ ଏବେ ଯେତେବେଳେ ମୋଦୀ ସରକାର ପୁଣି ମାଗଣା ଚାଉଳ ଦେବାକୁ ନିଷ୍ପତି ନେଇଛନ୍ତି, ଏହାକୁ ଏକ ନିର୍ବାଚନୀ ରଣନୀତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ତେବେ ୨୦୨୦ ମସିହାରେ କରୋନା ସମୟରେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ମହାମାରୀ ସରିବା ପରେ ମଧ୍ୟ ସରକାର ଏହି ଯୋଜନାର ଅବଧି ବଢାଇଥିଲେ । ପୂର୍ବରୁ ଚାଉଳ କିଲୋପିଛା ଟଙ୍କାଏ ଲେଖା ହିତାଧିକାରୀ ଦେଉଥିବାବେଳେ ଚଳିତ ବର୍ଷ ଆରମ୍ଭରୁ ସମ୍ପୂର୍ଣ୍ଣ ମାଗଣା କରି ଦେଇଥିଲେ ସରକାର ।