ଜେରୁଜେଲମର ‘ଟେମ୍ପଲ୍‌ ମାଉଣ୍ଟ୍‌’ ହିଂସାକାଣ୍ଡ ଘଟଣା: ଗଭୀର ଚିନ୍ତା ପ୍ରକଟ କଲା ଭାରତ…

169

କନକ ବ୍ୟୁରୋ: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନୀୟଙ୍କ ମଧ୍ୟରେ ଉତ୍ତେଜନା ତେଜୁଥିବା ବେଳେ ଜେରୁଜେଲମ୍‌ର ‘ଟେମ୍ପଲ୍‌ ମାଉଣ୍ଟ୍‌’ ଏବଂ ନିକଟବର୍ତ୍ତୀ ଶେଖ୍‌ ଜରା ଏବଂ ସିଲ୍‌ୱାନ୍‌ରେ ସ୍ଥାନାନ୍ତରିକରଣ ଯୋଗୁଁ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି । ସ୍ଥିତାବସ୍ଥା ପରିବର୍ତ୍ତନ ନ କରିବା ଲାଗି ମଧ୍ୟ ଭାରତ ଉଭୟ ପକ୍ଷଙ୍କୁ କହିଛି ।

ଜାତିସଂଘ ଦୂତାବାସରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି ଟୁଇଟ୍‌ କରି କହିଛନ୍ତି, ହରାମ୍‌ ଅଲ୍‌ ଶରିଫ୍/ଟେମ୍ପଲ୍‌ ମାଉଣ୍ଟ୍‌ରେ ହୋଇଥିବା ସଂଘର୍ଷ ଓ ହିଂସାକାଣ୍ଡ ଯୋଗୁଁ ଭାରତ ଗଭୀର ଚିନ୍ତିତ। ନିକଟବର୍ତ୍ତୀ ଅଞ୍ଚଳର ଶେଖ୍‌ ଜରା ଏବଂ ସିଲ୍‌ୱାନ୍‌ରେ ସ୍ଥାନାନ୍ତରଣ ଯୋଗୁଁ ମଧ୍ୟ ଭାରତ ସମପରିମାଣରେ ଚିନ୍ତିତ ।

କ୍ଷେତ୍ରାବସ୍ଥାର ସ୍ଥିତାବସ୍ଥା ପରିବର୍ତ୍ତନ ନ କରିବା ଲାଗି ଭାରତ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛି । ଏହି ପ୍ରାଚୀନ ସହରରେ ଭାରତୀୟ ସୁଫି ସନ୍ଥଙ୍କ ‘ଅଲ୍‌ଜାୱିୱା ଅଲ୍‌ ହିନ୍ଦିୟା’ ରହିଛି ବୋଲି ସେ କହିଛନ୍ତି ।

ଏହାଛଡ଼ା, ଭାରତ ଗାଜାର ରକେଟ୍‌ କ୍ଷେପଣ ଘଟଣାକୁ ମଧ୍ୟ ନିନ୍ଦା କରିଛି ବୋଲି ତିରୁମୂର୍ତ୍ତି ଟୁଇଟ୍‌ କରିଛନ୍ତି । ଉଭୟ ପକ୍ଷ ତୁରନ୍ତ ପ୍ରତ୍ୟକ୍ଷ ଶାନ୍ତି ଆଲୋଚନା ଆରମ୍ଭ କରିବା ଉଚିତ ବୋଲି ତିରୁମୂର୍ତ୍ତି ଗୁରୁ‌ତ୍ବାରୋପ କରିଛନ୍ତି ।

ଗାଜାରେ ଇସ୍ରାଏଲ୍‌ର ରକେଟ୍‌ ନିକ୍ଷେପଜନିତ ଘଟଣାରେ ପିଲାଙ୍କ ସମେତ ବହୁସଂଖ୍ୟକ ମୃତାହତଙ୍କ ପାଇଁ ସେ ଦୁଃଖବ୍ୟକ୍ତ କରିଛନ୍ତି। ମୁକାବିଲା ପାଇଁ ଇସ୍ରାଲୀୟ ନିରାପତ୍ତା ବଳ ସମୁଚ୍ଚିତ ଦକ୍ଷତା ପ୍ରତିପାଦନ କରିବା ଉଚିତ। ଇସ୍ରାଏଲ୍‌ବାସୀଙ୍କ ଉପରେ ନିର୍ବିଚାର ଭାବେ ରକେଟ୍‌ ଓ ମ‌ୋର୍ଟାର୍‌ ନିକ୍ଷେପ କାଣ୍ଡ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।