କେଜ୍ରିୱାଲଙ୍କ ଗିରଫ ନେଇ ଜର୍ମାନୀ ବିଦେଶ ମନ୍ତ୍ରାଳୟର ବୟାନ । ନାରାଜ ଜାହିର କଲା ଭାରତ । ପଢନ୍ତୁ, କଣ କହିଲା ଭାରତର ବିଦେଶ ମନ୍ତ୍ରାଳୟ…

994

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରାଳୟର ଜଣେ ପ୍ରବକ୍ତା ଟିପ୍ପଣୀ ରଖିବା ପରେ, ଏହାକୁ ନେଇ ଆପତ୍ତି ଜଣାଇଛି ଭାରତ । ଏ ସମ୍ପର୍କରେ ଭାରତ ନିଜର ଆପତ୍ତି ଜଣାଇବା ସହିତ ଜର୍ମାନୀର ଉପ-ପ୍ରମୁଖଙ୍କୁ ଅଭିଯୋଗ ଜଣାଇଛି । ବିଦେଶ ମନ୍ତ୍ରାଳୟ ନିଜ ବୟାନରେ କହିଛି, ନୂଆଦିଲ୍ଲୀରେ ଆଜି ଜର୍ମାନ ମିଶନର ଉପ-ପ୍ରମୁଖଙ୍କୁ ଡକାଯାଇଥିଲା । ଆଉ ଆମର ଅନ୍ତରୀଣ ମାମଲାରେ ଟିପ୍ପଣୀ କରିବାକୁ ନେଇ ଆପତ୍ତି ଜଣାଯାଇଥିଲା ।

ଖାଲି ସେତିକି ନୁହେଁ, ଭାରତ ତରଫରୁ କୁହାଯାଇଛି ଯେ, ଭାରତ ହେଉଛି ଆଇନର ଶାସନ ଚାଲୁଥିବା ଏକ ଜୀବନ୍ତ ଓ ମଜଭୁତ୍ ଗଣତନ୍ତ୍ର । ବିଶ୍ୱର ଅନ୍ୟ ସମସ୍ତ ସ୍ଥାନରେ ଆଇନ୍ ଓ ଗଣତନ୍ତ୍ର ଯେଉଁଭଳି କାମ କରେ, ସେହିଭଳି ଏଠାରେ ମଧ୍ୟ ଆଇନ୍ କାନୁନ୍ ତକ୍ରାଳ ପ୍ରଭାବରେ କାମ କରିବ । ଏ ସମ୍ପର୍କରେ ପକ୍ଷପାତପୂର୍ଣ୍ଣ ଧାରଣା ଅନୁଚିତ୍ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୧ ତାରିଖରେ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି । ଏହାପରଠୁ ଭାରତରେ ବିରୋଧୀ ଦଳ ଏହାକୁ ନେଇ ସରକାର ଉପରେ ବର୍ଷିଥିବାବେଳେ, କେନ୍ଦ୍ର ସରକାର କିନ୍ତୁ ଆଇନ୍ ଅନୁଯାୟୀ ଇଡି ଗିରଫ କରିଥିବା କଥା କହୁଛି ।