କାବୁଲରୁ ଭାରତ ଫେରିଲେ ଆଉ ୧୬୮ ଯାତ୍ରୀ । ହିଣ୍ଡନ ଏୟାରବେସରେ ଅବତରଣ କଲା ବାୟୁସେନାର ସ୍ୱତନ୍ତ୍ର ବିମାନ ।

109

କନକ ବ୍ୟୁରୋ: କାବୁଲରୁ ଭାରତ ଫେରିଲେ ଆଉ ୧୬୮ ଯାତ୍ରୀ । ଭାରତୀୟ ବାୟୁସେନାର ସି-୧୭ ବିମାନରେ ସେମାନେ ଭାରତ ଫେରିଛନ୍ତି । ହିଣ୍ଡନ୍ ଏୟାରବେସରେ ଅବତରଣ କରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୦୭ ଜଣ ଭାରତୀୟ । ଆଫଗାନିସ୍ତାନର ସାଂସଦ ମଧ୍ୟ ଭାରତ ଆସିଛନ୍ତି । ଭାରତ ଫେରିବା ପରେ କାବୁଲରେ ନିର୍ଯାତନାର କାହାଣୀ କହିଛନ୍ତି ଆଫଗାନ ସାଂସଦ ନରେନ୍ଦ୍ର ସିଂହ ଖାଲସା । କାନ୍ଦି କାନ୍ଦି କହିଛନ୍ତି କାବୁଲର ଦୁଃଖ ଭରା କାହାଣୀ ।

କହିଛନ୍ତି, ୨୦ ବର୍ଷ ହେବ ଯାହା କିଛି ତିଆରି କରିଥିଲୁ ସବୁ କିଛି ସରିଯାଇଛି । ଏବେ ଆଉ କିଛି ନାହିଁ । ଭାରତକୁ ଫେରି ବେଶ୍ ଖୁସି ଅଛନ୍ତି । ଭାରତ ତାଙ୍କର ଦ୍ୱିତୀୟ ଘର ବୋଲି କହିଛନ୍ତି । ଏହା ଭାରତ ଫେରିଥିବା ଅନ୍ୟ ଭାରତୀୟମାନେ ମଧ୍ୟ ଆଫଗାନିସ୍ତାନର କାହାଣୀ କହିଛନ୍ତି । କାବୁଲ ଏୟାରପୋର୍ଟର ବିଭିନ୍ନ ଗେଟରେ ରହୁଥିଲେ ହଜାର ହଜାର ତାଲିବାନୀ । କାହାରିକୁ ଦେଶ ଛାଡିବାକୁ ଦେଉନଥିଲେ । ଅନେକ କଷ୍ଟ ଭିତରେ ଦେଶକୁ ଫେରିଥିବା କହିଛନ୍ତି ଭାରତୀୟ । ଏହା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ସ୍ୱଦେଶ ଫେରିଲେ ୮୭ ଭାରତୀୟ । ଏୟାର ଇଣ୍ଡିଆର ବିମାନରେ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଥିଲା । ଏମାନଙ୍କ ମଧ୍ୟରେ ଦୁଇ ଜଣ ନେପାଳର ନାଗରିକ ଅଛନ୍ତି । ବିମାନରେ ବସିବା ପରେ ଭାରତ ମାତା କି ଜୟର ନାରା ଦେଇଥିଲେ ଭାରତୀୟ । ଭାରତ ସରକାରଙ୍କ ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ଅଧିକ ବିମାନ କାବୁଲ ପଠାଯିବ । ପ୍ରତ୍ୟେକ ଦିନ ଦୁଇଟି ବିମାନ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି ।