ଅନ୍ତିମ ଟେଷ୍ଟରେ ପଦାର୍ପଣ କରିପାରନ୍ତି ପୃଥ୍ୱୀ ସ’ ! ରାହୁଲ ଏବଂ ଅଶ୍ୱିନଙ୍କ ଖେଳିବା ନେଇ ଆଶଙ୍କା ।

44

ସାଉଥମ୍ପଟନଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟରେ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଅଧିନାୟକ ପୃଥ୍ଵୀ ସ’ ଟେଷ୍ଟ୍ ପଦାର୍ପଣ କରିପାରନ୍ତି । ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ କରାଇଥିବା ସ’ ପ୍ରଥମ ଚାରି ଟେଷ୍ଟରେ ସଂପୂର୍ଣ୍ଣ ବିଫଳ ହୋଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସ୍ଥାନ ନେଇପାରନ୍ତି । ରାହୁଲ ସ୍ଲିପ୍ରେ ଭଲ କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ ଭିତରକୁ ଆସୁଥିବା ବଲକୁ ଖେଳିବାରେ ପୂରା ଅସମର୍ଥ ହୋଇଛନ୍ତି । ଚୟନକର୍ତାମାନେ ସେଥିପାଇଁ ତାଙ୍କ ଉପରେ ତୀବ୍ର ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।

୧୮ ବର୍ଷୀୟ ସ’ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେଇ ସାରିଛନ୍ତି । ସେବେଠାରୁ ତାଙ୍କୁ ନିୟମିତ ଭାବେ ନେଟ୍ସ କରୁଥିବାର ଦେଖିବାକୁ ମିଳିଛି । ମୁମ୍ବାଇର ଏହି ପ୍ରତିଭାବାନ ଉଦୀୟମାନ ତାରକା ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭ ଶତକ ଓ ୫ ଅର୍ଧଶତକ ସହ ୧୪୧୮ ରନ୍ କରିଛନ୍ତି । ରାହୁଲଙ୍କ ସହ ପଞ୍ଚମ ଟେଷ୍ଟରୁ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବାଦ୍ ପଡ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ଖରାପ ପ୍ରଦର୍ଶନ ସହ ଶତ ପ୍ରତିଶତ ସୁସ୍ଥ ନଥିବାରୁ ସେ ଚୂଡ଼ାନ୍ତ ଦଳରେ ସ୍ଥାନ ନପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଅଶ୍ୱିନ ବାଦ୍ ପଡ଼ିଲେ ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଶୃଙ୍ଖଳାରେ ପ୍ରଥମ ଥର ପାଇଁ ସୁଯୋଗ ପାଇପାରନ୍ତି ।