ଦେଶରେ ଉପୁଜିପାରେ ବିଦ୍ୟୁତ ସଙ୍କଟ : କୋଇଲା ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ୟା ଜଣାଇଲେ ବିଭିନ୍ନ ରାଜ୍ୟର ମନ୍ତ୍ରୀ 

 ସେପଟେ ବିଦ୍ୟୁତ ସମସ୍ୟା ନେଇ କୋଇଲା ମନ୍ତ୍ରୀ, ଶକ୍ତିମନ୍ତ୍ରୀ ଓ ଏନଟିପିସି ସହ ଆଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 

118

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଉପୁଜିପାରେ ବିଦ୍ୟୁତ ସଙ୍କଟ । କାରଣ ଦେଶରେ ସରି ସରି ଆସୁଛି ଗଚ୍ଛିତ କୋଇଲି । କୋଇଲାର ସଙ୍କଟ ପାଇଁ ଆଗକୁ ବିଦ୍ୟୁତ ସମସ୍ୟା ଉତ୍କଟ ହୋଇପାରେ ବୋଲି ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେଣି । କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍ ଯୋଗାଣ ଉପରେ ପ୍ରଭାବ ପଡିବା ଆରମ୍ଭ କଲାଣି । ଯାହାକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଲାଣି । ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, ବିହାର ସମେତ ଅନେକ ରାଜ୍ୟରେ ବିଦ୍ୟୁତ ଯୋଗାଣରେ ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ଫଳରେ ବିଭିନ୍ନ ରାଜ୍ୟ ସରକାର ଚିଠି ଲେଖି କୋଇଲା ସଂକଟକୁ ଯଥାଶୀଘ୍ର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି ।

ଦେଶରେ କୋଇଲା ସଙ୍କଟ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ ଏବଂ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏବଂ ଏନଟିପିସିର ଅଧିକାରୀ । ଦେଶରେ ଥିବା ମୋଟ୍ କୋଇଲା ଖଣିରୁ ୧୩୫ଟି କୋଇଲା ଖଣି ୭୦ ପ୍ରତିଶତ ବିଜୁଳି ଯୋଗାନ୍ତି ।ଏହି ଖଣିରେ ଏବେ କୋଇଲାର ଅଭାବ ରହିଛି । ଯେତକ କଂଚାମାଲ ରହିଛି ତାହା ୩ ଦିନ ପରେ ଶେଷ ହୋଇଯିବ । ତେଣୁ ସାରା ଦେଶରେ ଏକ ପ୍ରକାର ବିଜୁଳି ସଂକଟ ଦେଖା ଦେବ ବୋଲି କୁହାଯାଉଛି । ତେବେ ସେନଟ୍ରାଲ କୋଲଫିଲ୍ଡସ ଲିମିଟେଡର ସିଏମଡି ପିଏମ୍ ପ୍ରସାଦ କହିଛନ୍ତି ଏବେ ସେମିତି କୌଣସି କୋଇଲାର ସଙ୍କଟ ନାହିଁ । ଯେହେତୁ ଦେଶରେ ଅତ୍ୟଧିକ କୋଇଲା ଉତ୍ପାଦନ ହୋଇଛି ତେଣୁ କୋଇଲା କମ୍ ମହଜୁଦ ରହିଛି । ରବିବାର ଏହି ପ୍ରସଙ୍ଗରେ ଶକ୍ତି ମନ୍ତ୍ରୀ କହିଥିଲେ ଦେଶରେ ବିଜୁଳି ସଙ୍କଟ ନାହିଁ । ବିଜୁଳି ସଙ୍କଟ ନେଇ ଯେଉଁ ପରିସ୍ଥିତି ଉପୁଜିଛି ଏହାର କୌଣସି ସତ୍ୟତା ନାହିଁ ।