ପାକିସ୍ତାନକୁ ଧରାଶାୟୀ କଲା ଟିମ୍ ଇଣ୍ଡିଆ ! ୮ ୱିକେଟରେ ଜିତିଲା ରୋହିତ୍ ବାହିନୀ, ଚାମ୍ପିୟନ୍ସ ଟ୍ରଫିର ବଦଲା ନେଲା ଭାରତ ।

74

କନକ ବ୍ୟୁରୋ : ଚାମ୍ପିୟନ୍ସ ଟ୍ରଫିର ବଦଲା ନେଲା ଟିମ୍ ଇଣ୍ଡିଆ । ଏସିଆ କପ୍ ୨୦୧୮ର ଲିଗ୍ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇଛି ଭାରତ । ଟିମ୍ ଇଣ୍ଡିଆର ବୋଲିଂ ବାହିନୀ ଆଗରେ ହାର ମାନିଛି ପାକିସ୍ତାନ । ଭାରତର ପ୍ରାରମ୍ଭିକ ଯୋଡି ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ସହଜ ବିଜୟ ହାସଲ କରିଛି ।  ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।

ଭାରତୀୟ ବୋଲରଙ୍କ ପ୍ରଭାବଶାଳୀ ବୋଲିଂରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମାନେ ବୁଧବାର ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲେ। ଏସିଆ କପର ଗ୍ରୁପ-ଏ ମ୍ୟାଚରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ୪୩.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୧୬୩ ରନ୍ ଟାର୍ଗେଟ ମିଳିଥିଲା। ଭାରତୀୟ ବୋଲର ଭୁବନେଶ୍ୱର କୁମାର ଓ କେଦାର ଯାଧବଙ୍କୁ ୩ଟି ଲେଖାଏଁ ଓ୍ଵିକେଟ୍ ମିଳିଥିବା ବେଳେ ଯସପ୍ରୀତ ବୁମାରଙ୍କୁ ୨ଟି କୁଲଦୀପ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।

ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପାକିସ୍ତାନ । ସୋଏବ ମଲ୍ଲିକ(୪୩) ରନ୍ କରି ଆଉଟ୍ ହେବା ପରେ ଆସିଫ ଅଲି(୬) କେଦାର ଯାଧବଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଦୁବାଇରେ ଚାଲିଥିବା ଏସିଆ କପର ଗ୍ରୁପ-ଏ ମ୍ୟାଚରେ ଭାରତର ୪ର୍ଥ ଶିକାର ହୋଇଥିଲେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମଦ(୬)। ସେ କେଦାର ଯାଦବଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇଥିଲେ।

ତେବେ ୧୬୩ ରନର ବିଜୟଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭରୁ ହିଁ ଭଲ ବ୍ୟାଟିଂର ପ୍ରଦର୍ଶନ କରିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଶିଖର ଧାୱନଙ୍କ ଦମଦାର ୪୬ ରନ ବଳରେ ଭାରତ ଏକ ସହଜ ବିଜୟ ହାସଲ କରିନେଇଛି । ପାକିସ୍ତାନକୁ ୮ ୱିକେଟରେ ହରାଇ ଚାମ୍ପିୟନ୍ସ ଟ୍ରଫିର ବଦଲା ନେଇଛି ଭାରତ ।