ଭାରତରେ ଋଷ ଟୀକାକୁ ଶକ୍ତଧକ୍କା । ‘ସ୍ପୁଟନିକ ଭି’ର ବଡ଼ ଧରଣର ପରୀକ୍ଷଣକୁ ଅନୁମତି ଦେଲାନି କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂସ୍ଥା ।

409

କନକ ବ୍ୟୁରୋ: ଋୁଷ ଟିକାକୁ ଭାରତରେ ବଡ଼ ଧକ୍କା । ବଡ଼ ଧରଣର ପରୀକ୍ଷଣକୁ ମିଳିଲାନି ଅନୁମତି । ପ୍ରଥମେ ହେବ ସୀମିତ ପରୀକ୍ଷା । ଭାରତରେ ରୁଷ୍ ଟିକାର ପରୀକ୍ଷଣ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ସାମ୍ନାକୁ ଆସିଛି କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂସ୍ଥା, ସିଡିଏସସିଓର ନିର୍ଦ୍ଦେଶ  । ସଂସ୍ଥା ଭାରତରେ ରୁଷ୍ ଟିକାର ବଡ଼ ଧରଣର ପରୀକ୍ଷଣକୁ ଅନୁମତି ଦେବାକୁ ମନା କରିଦେଇଛି  । ଏହାସହ ପ୍ରଥମେ ସୀମିତ ଭାବେ ରୁଷ୍ ଟିକା “ସ୍ପୁଟନିକ ଭି’ର ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛି  । ଏହି ସୀମିତ ପରୀକ୍ଷଣର ଫଳାଫଳ ପରେ ଆଗକୁ ଯାହା ନିଷ୍ପତି ନେବ  । ଡକ୍ଟର ରେଡିଜ୍ ଲାବୋରେଟୋରିଜ୍ ଭାରତରେ ରୁଷ୍ ଟିକାର ବଡ଼ ଧରଣର ପରୀକ୍ଷଣ ପାଇଁ ଅନୁମତି ମାଗିଥିଲା  । ଏକ ବିଶେଷଜ୍ଞ ଦଳ ସହ ପରାମର୍ଶ ପରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂସ୍ଥା ଏହି ନିର୍ଦେଶ ଦେଇଛି  ।

“ସ୍ପୁଟନିକ ଭି’କୁ ବିଶ୍ୱର ପ୍ରଥମ କରୋନା ଟିକା ବୋଲି କୁହାଯାଉଛି  । ଏନେଇ ଅଗଷ୍ଟ ମାସରେ ବିଧିବଦ୍ଧ ଘୋଷଣା କରିଥିଲେ ରୁଷ୍ ସରକାର  ।  ରୁଷରେ ୩୮ ଜଣ ସ୍ୱେଚ୍ଛାସେବୀଙ୍କ ଦେହରେ ଜୁନ୍ ୧୮ ତାରିଖରେ ସ୍ପୁଟନିକ-ଭି ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା । ଜୁଲାଇ ୧୫ରେ ଗୋଟିଏ ବ୍ୟାଚ୍ ଓ ଜୁଲାଇ ୨୦ରେ ଦ୍ୱିତୀୟ ବ୍ୟାଚକୁ ହସ୍ପିଟାଲରୁ ଛଡାଗଲା । ଏହାର ପରିଣାମ ସକାରାତ୍ମକ ରହିଥିବା ଦାବି କରିଥିଲା ରୁଷ୍ ସରକାର, ଏହାସହ ଟିକାର ପଞ୍ଜିକରଣ ଶେଷ କରିଥିଲା ପୁଟିନ ପ୍ରଶାସନ । ତେବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପୂର୍ବରୁ ଏହି ଟିକାକୁ ସଫଳ ଘୋଷଣା କରିଥିଲା ରୁଷ୍, ଯାହାକୁ ନେଇ ପଶ୍ନ ଉଠାଇଥିଲେ ବିଶେଷଜ୍ଞ  ।  ନିକଟରେ ଭାରତକୁ ୧୦ କୋଟି ଟିକା ଦେବାକୁ ରାଜି ହୋଇଥିଲା ରୁଷ୍ର ଔଷଧ ନିର୍ମାତାକାରୀ ସଂସ୍ଥା । ଏନେଇ ଡକ୍ଟର ରେଡିଜ୍ ଲାବୋରେଟୋରିଜ ସହ ବୁଝାମଣା ହୋଇଥିଲା  ।  ବିଶ୍ୱରେ ଏବେ ୧୬୦ଟି ଦେଶ କିମ୍ବା ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି  । ଭାରତରେ ମଧ୍ୟ ଏକାଧିକ ସଂସ୍ଥା ଟିକା ପ୍ରସ୍ତୁତି କରୁଛନ୍ତି  । ତେବେ କେବେ ଆସୁଛି କରୋନା ଟିକା, ସମୟ କହିବ  ।