ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣା । ବିଦେଶକୁ ପୁଣି ଟିକା ରପ୍ତାନୀ କରିବ ଭାରତ ।

102

କନକ ବ୍ୟୁରୋ: ବିଦେଶକୁ ପୁଣି ଟିକା ରପ୍ତାନୀ କରିବ ଭାରତ । ଏନେଇ ସୋମବାର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏହି ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ କରାଯାଇଛି । ପ୍ରଧାନମନ୍ତ୍ରୀ ଆମେରିକା ଯିବା ପରେ ଟିକା ରପ୍ତାନୀ ଉପରେ ଜୋ ବାଇଡେନ୍ ଆଲୋଚନା କରିବାର ସମ୍ଭାବନା ଥିବାରୁ ଏହି ବଡ ନିଷ୍ପତ୍ତି ନିଆଯାଇଛି । ଭ୍ୟାକ୍ସିନ୍ ଉତ୍ପାଦନରେ ବିଶ୍ୱର ସବୁଠାରୁ ଆଗରେ ଥିବା ଭାରତ ଠାରୁ କରୋନା ଟିକା ନେବା ପାଇଁ ଅନେକ ଦେଶ ଚାହିଁ ବସିଛନ୍ତି । ତେବେ ଦେଶରେ ଭ୍ୟାକ୍ସିନେସନ ଡ୍ରାଇଭକୁ ଜୋରଦାର କରିବା ପାଇଁ ଟିକା ରପ୍ତାନୀକୁ ସ୍ଥଗିତ ରଖାଯାଇଥିଲା । ଏପ୍ରିଲ ମାସରୁ ଭାରତ ଟିକା ରପ୍ତାନୀ କରିବା ବନ୍ଦ କରି ଦେଇଥିଲା । ତେବେ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ପୁଣିଥରେ ଟିକା ରପ୍ତାନୀ ନେଇ ଘୋଷଣା କରାଯାଇଛି । ଦେଶରେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ୯୪.୪ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦେବାକୁ ଯୋଜନା ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୬୧ ପ୍ରତିଶତ ଲୋକଙ୍କୁ କରୋନାର ଗୋଟିଏ ଡୋଜ୍ ଦିଆ ସରିଛି ।