ଅନ୍ତରୀକ୍ଷରେ ଇତିହାସ ରଚିଲା ଭାରତ ! ୩  ମିନିଟରେ ଲିଓ ସାଟେଲାଇଟକୁ ଖସାଇ ସଫଳ ହେଲା ମିଶନ ଶକ୍ତି ଅପରେସନ, ମହାକାଶରେ ଭାରତ ହେଲା ଚତୁର୍ଥ ମହାଶକ୍ତି ।  

204

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଆଜି ଇତିହାସ ରଚିଛି ଭାରତ । ମହାକାଶରେ ଅକାମୀ ହୋଇଯାଇଥିବା ମିଜାଇଲ୍ ମାଡ କରି ଖସାଇ ଦେଇଛି । ମାତ୍ର ୩ ମିନିଟରେ ସଫଳ ହୋଇଛି ଡିଆରଡିଓର ମିଶନ ଶକ୍ତି ଅପରେସନ୍ । ଆମେରିକା, ଋଷ ଓ ଚୀନ ପରେ ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ସୁପର ସ୍ପେସ ପାୱାରରେ ପରିଣତ ହୋଇଛି । ଭାରତର ଏହି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ତାରିଖ-୨୭ ମାର୍ଚ୍ଚ ୨୦୧୯ । ସ୍ଥାନ-ବଙ୍ଗୋପସାଗର ପୂର୍ବ ଉପକୂଳ ଧାମରା ବନ୍ଦର ନିକଟ ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଂଚପ୍ୟାଡ । ଦିନ ୧୧ଟା ୨୦ରେ ମହାକାଶରେ ଅକାମୀ ହୋଇଯାଇଥିବା ଏକ ସାଟେଲାଇଟକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା ମିଜାଇଲ ଲଂଚର । ଡିଆରଡିଓ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମୟରେ ନିମ୍ନ ପୃଥିବୀ କକ୍ଷରେ ଥିବା ଏକ ଉପଗ୍ରହକୁ ଲକ୍ଷ୍ୟ କରି ଲଂଚ ହୋଇଥିଲା ଆଂଟି ସାଟେଲାଇଟ୍ ମିଜାଇଲ । ଭାରତୀୟ ପ୍ରତିରକ୍ଷା ବିଭାଗର ଏହି ପରୀକ୍ଷଣ ବେଳେ ରାଡାର ଜରିଆରେ ମିଜାଇଲର ଗତିବିଧିକୁ ଲକ୍ଷ୍ୟ କରାଯାଉଥିଲା । ଦୃତ ଗତିରେ ସାଟେଲାଇଟ୍ ଆଡକୁ ଅଗ୍ରସର ହୋଇଥିଲା ମିଜାଇଲ । ଆଉ ମାତ୍ର ତିନି ମିନିଟ୍ ମଧ୍ୟରେ ସାଟେଲାଇଟରେ ମିଜାଇଲ ମାଡ ହେବା ସହ ଏହା ଧ୍ୱଂସ ହୋଇ ତଳକୁ ଖସିପଡିଥିଲା । ଏଥିସହ ଚତୁର୍ଥ ରାଷ୍ଟ୍ର ଭାବେ ସ୍ପେଶ ସୁପର ପାୱାର ପାଲଟି ଯାଇଥିଲା ଭାରତ ।

ଭାରତ ପାଇଁ ଐତିହାସିକ ଦିନ । ଦେଶ ବନିଲା ସ୍ପେଶ ସୁପର ପାୱାର । ସଫଳତାର ସହ ଆଂଟି ସାଟଲୋଇଟ୍ ମିଜାଇଲ ପରୀକ୍ଷଣ କଲା ଭାରତ । ଆମେରିକା, ଚୀନ ଓ ଋଷ ପରେ ଚତୁର୍ଥ ରାଷ୍ଟ୍ର ଭାବେ ସ୍ପେଶ ସୁପର ପାୱାର ବନିଛି ଭାରତ । ମହାକାଶରେ ଅକାମୀ ହୋଇପଡିଥିବା ଏକ ସାଟେଲାଇଟକୁ ମାତ୍ର ତିନି ମିନିଟରେ ନଷ୍ଟ କରିଛି ଭାରତୀୟ ମିଜାଇଲ । ଡିଆରଡିଓ ପକ୍ଷରୁ ସଫଳତାର ସହ ଶେଷ ହୋଇଛି ମିଶନ୍ ଶକ୍ତି କାର୍ଯ୍ୟକ୍ରମ । ଏହି ସଫଳତା ପାଇଁ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କୁହାଯାଉଛି ଡିଆରଡିଓ ମିଶନ୍ ଶକ୍ତି କାର୍ଯ୍ୟକ୍ରମର ଦୁଇଟି ଆଭିମୁଖ୍ୟ ।

– ମହାକାଶରେ ଉପଗ୍ରହକୁ ନଷ୍ଟ କରିବାରେ ଭାରତ ଚତୁର୍ଥ ମହାଶକ୍ତି ପାଲଟିଛି

– ଶତ୍ରୁ ରାଷ୍ଟ୍ରକୁ କଡା ମୁକାବିଲା ଦେବାରେ ଭାରତ ତାର ସାମର୍ଥ୍ୟ ପ୍ରଦର୍ଶନ କରିଛି

– ୧୯୫୮ରେ ପ୍ରଥମେ ଆମେରିକା ଏଏସଏଟି ସିଷ୍ଟମର ପରୀକ୍ଷଣ କରିଥିଲା

– ୧୯୬୪ରେ ସୋଭିଏତ ଋଷ ଏବଂ ୨୦୦୭ରେ ଚୀନ ପରୀକ୍ଷଣ କରିଥିଲେ

– ୨୦୧୫ରେ ଋଷ ପିଏଲ-୧୯ ନୁଡୁଲ ମିଜାଇଲର ପରୀକ୍ଷଣ କରିସାରିଛି

ଆଂଟି ସାଟେଲାଇଟ ପରୀକ୍ଷଣକୁ ନେଇ ବିବାଦ ରହିଆସିଛି । ଏହାକୁ ମହାକାଶର ଅସ୍ତ୍ରୀକରଣ ଭାବେ ବିଚାର କରାଯାଏ । ତେଣୁ ୧୯୬୭ରେ ଆଉଟ ସ୍ପେଶ ଚୁକ୍ତି ଅନୁସାରେ ଆଂଟି ସାଟେଲାଇଟ୍ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଭାରତର ଏହି ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆତ୍ମରକ୍ଷା ପାଇଁ ଏହି ପରୀକ୍ଷା କରାଯାଇଛି । ମହାକାଶରେ ଭାରତୀୟ ଉପଗ୍ରହକୁ ସୁରକ୍ଷା ଦେବାଲାଗି ଭାରତର ଆଂଟି ସାଟେଲାଇଟ୍ ମିଜାଇଲ ମିଶନ୍ ସଫଳ ହୋଇଛି ।