କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୧,୪୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ସମାନ ଅବଧି ମଧ୍ୟରେ କରୋନା ସଂକ୍ରମଣରେ ୬୭ ଜଣ ଲୋକଙ୍କ ଜୀବନ ଯାଇଛି । ସେପଟେ ଗତ ୨୪ ଘଂଟାରେ ୨୦,୭୨୬ ଜଣ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ଦୈନିକ ସଂକ୍ରମଣ ହାର ୪.୪୬ ପ୍ରତିଶତରେ ପହଂଚିଛି । କହିରଖୁ କି, ଗତ ଶୁକ୍ରବାର ଦିନ ସାରା ଦେଶରୁ ୨୧,୮୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏସବୁକୁ ମିଶାଇ ଏବେ ଦେଶରେ ଆକ୍ଟିଭ ମାମଲା ୧,୫୦,୧୦୦ ରେ ପହଂଚିଛି ।

ସେପଟେ କରୋନାର ପୂର୍ବ ଲହର ଭଳି ଏବେ ବି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଦେଶର ଅନ୍ୟରାଜ୍ୟ ତୁଳନାରେ ଆଗରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୨୫୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦,୨୯,୯୧୦ କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।