କନକ ବ୍ୟୁରୋ: ଦେଶରେ କେବେ ସରିବ ଦ୍ୱିତୀୟ ଲହରର ପ୍ରକୋପ ? କେବେ ମିଳିବ କରୋନା ଦାଉରୁ ମୁକ୍ତି ? ଏଭଳି ପ୍ରଶ୍ନର ଉତ୍ତର ଦେଶବାସୀ ଖୋଜୁଥିବା ବେଳେ ହ୍ରାସ ପାଉଥିବା ସଂକ୍ରମଣ କିଛିଟା ସାହସ ବଢ଼ାଇଲା ଭଳି । ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିଚାଲିଛି । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫ ଦିନ ଭିତରେ ଏହା ଦେଶରେ ସବୁଠୁ କମ୍ ଦୈନିକ ସଂକ୍ରମଣ ।
ସେପଟେ ମୋଦି ସରକାରଙ୍କ କୋଭିଡ ସ୍ଥିତି ପରିଚାଳନାକୁ ନେଇ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର କରୋନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କରୋନାର ଦ୍ୱିତୀୟ ଲହର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ସିଧା ସଳଖ ଦାୟୀ କରିଛନ୍ତି । କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନାଟକବାଜି ପାଇଁ ଦେଶ କରୋନାର ଦ୍ୱିତୀୟ ଲହରରେ ବିରାଟ କ୍ଷତି ସହିଛି । ସେହିପରି ଟିକା ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ । ଏ ଅଭିଯୋଗର ଜବାବ ରଖିଛି ବିଜେପି ।
ଦେଶରେ ସଂକ୍ରମଣ କମୁଥିବା ବେଳେ ଟିକାକରଣରର ମନ୍ଥର ହାର ଏବେ ଏକ ସମସ୍ୟା ପାଲଟିଛି । ଦେଶରେ ଏଯାଏଁ ୨୧ କୋଟି ପାଖାପାଖି ଟିକାକରଣ ହୋଇଛି । ତେବେ ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
Follow Us