ଦେଶରେ ବଢ଼ୁଛି ସୁସ୍ଥହାର, କମୁଛି ସଂକ୍ରମଣ । ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ, ୩୬୧୭ ମୃତ ।

179

କନକ ବ୍ୟୁରୋ: ଦେଶରେ କେବେ ସରିବ ଦ୍ୱିତୀୟ ଲହରର ପ୍ରକୋପ ? କେବେ ମିଳିବ କରୋନା ଦାଉରୁ ମୁକ୍ତି ? ଏଭଳି ପ୍ରଶ୍ନର ଉତ୍ତର ଦେଶବାସୀ ଖୋଜୁଥିବା ବେଳେ ହ୍ରାସ ପାଉଥିବା ସଂକ୍ରମଣ କିଛିଟା ସାହସ ବଢ଼ାଇଲା ଭଳି । ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିଚାଲିଛି । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫ ଦିନ ଭିତରେ ଏହା ଦେଶରେ ସବୁଠୁ କମ୍ ଦୈନିକ ସଂକ୍ରମଣ ।

ସେହିପରି ୨୪ ଘଂଟା ମଧ୍ୟରେ ଦେଶରେ କରୋନା ୩୬୧୭ ଜଣଙ୍କ ଜୀବନ ନେଇଛି । ଏହାସହ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୨ ହଜାର ୫୧୨ରେ ପହଂଚିଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୨ ଲକ୍ଷ ୨୮ ହଜାର ୭୨୮କୁ କମିଆସିଛି । ଦେଶରେ ଏବେ ଦୈନିକ ସଂକ୍ରମଣ ହାର ୯.୮୪ ପ୍ରତିଶତ । ଗୋଟିଏ ଦିନରେ ଦେଶରେ ୨ ଲକ୍ଷ ୮୪ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଲଗାତର କିଛିଦିନ ହେଲା ଦୈନିକ ସଂକ୍ରମଣ ଠାରୁ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଆସୁଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୯୦ ପ୍ରତିଶତ ଟପିଛି । ଏବେ ସୁସ୍ଥ ହାର ୯୦.୮ରେ ପହଞ୍ଚିଛି ।

ସେପଟେ ମୋଦି ସରକାରଙ୍କ କୋଭିଡ ସ୍ଥିତି ପରିଚାଳନାକୁ ନେଇ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର କରୋନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କରୋନାର ଦ୍ୱିତୀୟ ଲହର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ସିଧା ସଳଖ ଦାୟୀ କରିଛନ୍ତି । କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନାଟକବାଜି ପାଇଁ ଦେଶ କରୋନାର ଦ୍ୱିତୀୟ ଲହରରେ ବିରାଟ କ୍ଷତି ସହିଛି । ସେହିପରି ଟିକା ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧୀ । ଏ ଅଭିଯୋଗର ଜବାବ ରଖିଛି ବିଜେପି ।

ଦେଶରେ ସଂକ୍ରମଣ କମୁଥିବା ବେଳେ ଟିକାକରଣରର ମନ୍ଥର ହାର ଏବେ ଏକ ସମସ୍ୟା ପାଲଟିଛି । ଦେଶରେ ଏଯାଏଁ ୨୧ କୋଟି ପାଖାପାଖି ଟିକାକରଣ ହୋଇଛି । ତେବେ ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।