କନକ ବ୍ୟୁରୋ : ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ସପ୍ତାହ ଅର୍ଥାତ୍ ଜାନୁଆରୀ ୩ରୁ ୯ ତାରିଖ ମଧ୍ୟରେ ୭ ଲକ୍ଷ ୮୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକି ପୂର୍ବ ସପ୍ତାହ ତୁଳନାରେ ୬ ଗୁଣା ବୃଦ୍ଧି । ପୂର୍ବ ସପ୍ତାହ ଅର୍ଥାତ୍ ଡିସେମ୍ବର ୨୭ରୁ ଜାନୁଆରୀ ୨ ତାରିଖ ମଧ୍ୟରେ ଦେଶରେ ୧ ଲକ୍ଷ ୩୦ ହଜାର ମାମଲା ଆସିଥିଲା ।
ଦ୍ୱିତୀୟ ଲହର ସମୟରେ ୧ ଲକ୍ଷ ୩୦ ହଜାରରୁ ୭ ଲକ୍ଷ ୮୦ ହଜାରରେ ପହଂଚିବା ପାଇଁ ପାଖାପାଖି ୫ ସପ୍ତାହ ସମୟ ନେଇଥିଲା । ଗତ ସପ୍ତାହରେ ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୨୦ ହଜାର ନୂଆ ମାମଲା ଆସିଛି । ସେହିପରି ଦିଲ୍ଲୀରୁ ୯୫ ହଜାର ୬୦୯, ଉତର ପ୍ରଦେଶରୁ ୨୫ ହଜାର ୫୭, ପଶ୍ଚିମବଙ୍ଗରୁ ୧ ଲକ୍ଷ ୫ ହଜାରରୁ ଅଧିକ ମାମଲା ଆସିଛି । ସପ୍ତାହରେ ଏତେ ସଂଖ୍ୟକ ମାମଲା ଆସିବାରେ ଭାରତ ପଂଚମ ସ୍ଥାନରେ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
ଦିଲ୍ଲୀରେ ପୁଣି ଦୈନିକ ସଂକ୍ରମଣ ରେକର୍ଡ କରିଛି । ରବିବାର ୨୨ ହଜାର ୭୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବଦିନ ଅପକ୍ଷୋ ୧୨ ପ୍ରତିଶତ ଅଧିକ ରହିଛି । ଶନିବାର ଦିଲ୍ଲୀରେ ୨୦ ହଜାର ୧୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା । ସେହିପରି ରବିବାର ୧୭ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ବଢିଛି ।
ରବିବାର ୪୪ ହଜାର ୩୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ମୋଟ୍ ୨୦ ହଜାର ୩୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ରବିବାର ଗୋଟିଏ ଦିନରେ ୨୦୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ହଜାର ୨୧୬ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।