ସେପ୍ଟେମ୍ବର ସୁଦ୍ଧା ଭାରତ ଦେଖିପାରେ ୩୫ ଲକ୍ଷ ମାମଲା: ୨୦୨୧ ମାର୍ଚ୍ଚ ଶେଷ ବେଳକୁ ୬ କୋଟି: ଆଇଆଇଏସ୍‌ସି ଅଧ୍ୟୟନ

794

କନକ ବ୍ୟୁରୋ : ଭରତରେ କରୋନା ସଂକ୍ରମଣ ବଢ଼ିଚାଲିଛି।  ରେକର୍ଡ ସଂଖ୍ୟକ ୩୨ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ଆଇଆଇଏସ୍‌ସି (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ) ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଭାରତରେ ଯଦି ସଂକ୍ରମଣ ଏମିତି ବଢ଼ିଚାଲେ ତେବେ ସେପ୍ଟେମ୍ବର ୧ ସୁଦ୍ଧା ଭାରତ ଅତି ଖରାପ୍‌ ସ୍ଥିତିରେ ରହିବ ଏବଂ ସଂକ୍ରମଣ ମାମଲା ୩୫ ଲକ୍ଷରେ ପହଞ୍ଚିବ। ସେତେବେଳକୁ ଭାରତରେ ୧୦ ଲକ୍ଷ ସକ୍ରିୟ ମାମଲା ଥିବ । କିନ୍ତୁ ଯଦି ପରିସ୍ଥିତି ସୁଧୁରେ ସେପ୍ଟେମ୍ବର ୧‌ ବେଳକୁ ଦେଶରେ ଅତି କମ୍‌ରେ ମୋଟ୍‌ ମାମଲା ୨୦ ଲକ୍ଷ ଥିବ ଏବଂ ୪.୭୫ ଲକ୍ଷ ସକ୍ରିୟ ମାମଲା ଥିବ। ସେତେବେଳକୁ ଦେଶରେ ୮୮ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବ। ତେବେ ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ଦେଶରେ ମୋଟ୍‌ ମାମଲା ୩୭.୪ ଲକ୍ଷ ରହିବ। ୧୪ ଲକ୍ଷ ସକ୍ରିୟ ମାମଲା ଥିବା ସହ ୧.୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବ। ଅତି ଖରାପ୍‌ ସ୍ଥିତିରେ ସେପ୍ଟେମ୍ବର ସୁଦ୍ଧା ମହାରାଷ୍ଟ୍ର ୬.୩ ଲକ୍ଷ ମାମଲା, ଦିଲ୍ଲୀ ୨.୪ ଲକ୍ଷ, ତାମିଲନାଡ଼ୁ ୧.୬ ଲକ୍ଷ ଏବଂ ଗୁଜରାଟ ୧.୮ ଲକ୍ଷ ମାମଲା ଦେଖିପାରେ।

ଆଇଆଇଏସ୍‌ସି ପ୍ର‌ଫେସର ଶଶି କୁମାର, ଜି ଦୀପକ ଏସ୍‌ ଏବଂ ତାଙ୍କ ଟିମ୍‌ କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ଭାରତ ୧.୪ ଲକ୍ଷ ମୃତ୍ୟୁ ଦେଖିପାରେ। ନଭେମ୍ବର ୧ ସୁଦ୍ଧା ଭାରତରେ ୧.୨ କୋଟି ସଂକ୍ରମଣ ମାମଲା ଏବଂ ୫ ଲକ୍ଷ ମୃତ୍ୟୁ, ଜାନୁଆରି ୧ ସୁଦ୍ଧା ୨.୯ କୋଟି ମାମଲା ଏବଂ ୧୦ ଲକ୍ଷ ମୃତ୍ୟୁ ହୋଇଥିବ। ଅତ୍ୟନ୍ତ ଖରାପ ସ୍ଥିତିରେ ଭାରତରେ ମାର୍ଚ୍ଚ ଶେଷ ସୁଦ୍ଧା କରୋନା ସଂକ୍ରମଣର ଶିଖର ଛୁଇଁ ପାରେ। ସେତେବେଳକୁ ଭାରତ‌ରେ ୬.୨ କୋଟି ମାମଲା ଥିବ ଏବଂ ୨୮ ଲକ୍ଷ ମୃତ୍ୟୁ ହୋଇଥିବ। ଜାତୀୟ ସଂକ୍ରମଣ ହାରକୁ ଆଧାର କରି ଏହି ଅଧ୍ୟୟନ କରାଯାଇଥିବା ଜଣାପଡ଼ିଛି।