ଭାରତକୁ ଶୀଘ୍ର ମିଳିପାରେ ଫାଇଜର ଟିକା : ମୋଦି ସରକାରଙ୍କ ସହ କଥାବାର୍ତ୍ତା ଚଲାଇଛି ଫାଇଜର କଂପାନୀ

କୋଭିଡ ଟିକା ସଂରକ୍ଷଣ ପାଇଁ ଆବଶ୍ୟକ ଶୀତଳଭଣ୍ଡାର ସମସ୍ୟାର ସମାଧାନ ପାଇଁ ଫାଇଜର ଆଗ୍ରହୀ

219

କନକ ବ୍ୟୁରୋ : ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଓ ବାୟୋଟେକର କୋଭିଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଆଉ କୋଭିଡ ସହ ମୁକାବିଲା କରି ମାନବ ସମାଜକୁ ସୁରକ୍ଷା ଯୋଗାଇ ଦେବାର ଔଷଧ ଏବେ ମିଳିପାରିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଫାଇଜର ଟିକା ପାଇବା ପାଇଁ ଆଗୁଆ ବରାଦ ଦେଇ ସାରିଛନ୍ତି । ଏପରି ସମୟରେ ଫାଇଜର, ଟିକା ଯୋଗାଣ ପାଇଁ ଭାରତ ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ଫାଇଜର କଂପାନୀର ମୁଖପାତ୍ର ରୋମା ନାୟର ।

ସେ କହିଛନ୍ତି, ଟିକା ଯୋଗାଣ ନେଇ ଭାରତ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି, ଟିକା ଯୋଗାଇବା ପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ସହ ଚୁକ୍ତି ହୋଇ ସାରିଛି । ତେବେ ଫାଇଜର ଟିକା ସଂରକ୍ଷଣ ପାଇଁ ଭିତିଭୂମିର ଆବଶ୍ୟକତା ଓ ବିଶ୍ୱର ବିଭିନ୍ନ ଦେଶର କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥାକୁ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି । ଭାରତରେ ଫାଇଜରର କୋଭିଡ ଟିକା ପାଇଁ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଦୃଢ ଆଶାପ୍ରକାଶ କରିଛି ଫାଇଜର କଂପାନୀ ।

ଫାଇଜର ପକ୍ଷରୁ ବିକଶିତ ହୋଇଥିବା କୋଭିଡ ଟିକାକୁ ମାଇନସ ୭୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ କରି ରଖିହେବ । ତେଣୁ ଭାରତ ଭଳି ବିଶାଳ ଦେଶରେ ଏତେ କମ ତାପମାତ୍ରାରେ ଟିକା ସଂରକ୍ଷଣ କରି ବଂଟନ କରିବା ସମ୍ଭବ ହେବ ନାହିଁ ବୋଲି ଶଙ୍କା ପ୍ରକାଶ ପାଇଛି । ସେପଟେ ଫାଇଜାର ଟିକା ପାଇଁ ବିଶ୍ୱ ସମୁଦାୟରେ ଏକ ପ୍ରକାର ଦୌଡ ଆରମ୍ଭ ହୋଇଯାଇଛି । ବିଶ୍ୱର ପ୍ରତିପତିଶାଳୀ ରାଷ୍ଟ୍ର ବ୍ରିଟେନ, ଆମେରିକା ଓ ୟୁରୋପ ଫାଇଜର ଠାରୁ କୋଭିଡ ଟିକା ପାଇଁ ଆଗୁଆ ଚୁକ୍ତି କରିସାରିଲେଣୀ । ଆମେରିକା ଶହେ ମିଲିୟନ କୋଭିଡ ଟିକାର ଡୋଜ ପାଇଁ ବରାଦ କରିଥିବା ବେଳେ ୟୁରୋପ ୨ଶହ ମିଲିୟନ ଡୋଜ ଓ ଲଣ୍ଡନ ୪୦ ହଜାର ଡୋଜ ପାଇଁ ଆଗୁଆ ବରାଦ କରିଛି । ହେଲେ ଫାଇଜର ଟିକାକୁ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକ କୋଲ୍ଡ ଷ୍ଟୋରେଜ ଆଖିରେ ରଖି ବରାଦ କରିନାହାନ୍ତି ଭାରତ ସରକାର ।