ବଲିଉଡ ଶେହେନ୍ସାଙ୍କ ଘରେ ପଶିଲା କରୋନା । ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ । ବଚ୍ଚନ ପରିବାରର ୪ ବଙ୍ଗଳା ସିଲ୍, ବିଗ୍ ବି’ଙ୍କ ଆରୋଗ୍ୟ କାମନା କରି ଦେଶବ୍ୟାପୀ ପୂଜାର୍ଚ୍ଚନା । 

181

କନକ ବ୍ୟୁରୋ: ବିଭିନ୍ନ ଜାତୀୟ ବିଜ୍ଞାପନରେ କରୋନା ସହିତ ଲଢିବା ଏବଂ ସୁରକ୍ଷିତ ରହିବା ପାଇଁ ବାର୍ତା ଦେଉଥିବା ବିଗ ବି ଅମିତାଭ ବଚ୍ଚନ କରୋନା ପଜିଟିଭ । ଏହି ଖବର ସାରା ଦେଶବାସୀଙ୍କୁ ଦୁଃଖୀ କରିଦେଇଛି । ଶନିବାର ରାତିରେ ବିଗ ବି ଅମିତାଭ ବଚ୍ଚନ ନିଜେ ଟୁଇଟ କରି କରୋନା ପଜିଟିଭ ଥିବା ସୂଚନା ଦେଇଥିଲେ । କରୋନା ପିଜିଟିଭ ଚିହ୍ନଟ ହେବା ପରେ ଅମିତାଭଙ୍କୁ ମୁମ୍ବାଇର ନାନାବଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କୁ ଏବେ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଡାକ୍ତରଖାନାର ଏପରି ସୂଚନା ପରେ ବିଗ୍ ବିଙ୍କ ଫ୍ୟାନ ଟିକେ ଆଶ୍ୱସ୍ତ ହୋଇଛନ୍ତି । ଟୁଇଟ କରି ଅମିତାଭ କହିଛନ୍ତି, ଗତ ୧୦ ଦିନ ମଧ୍ୟରେ ତାଙ୍କ ସହ ସମ୍ପର୍କରେ ଥିବା ଲୋକେ ତୁରନ୍ତ ପରୀକ୍ଷା କରାଇନିଅନ୍ତୁ ।

ପୁଅ ଅଭିଶେଖ ବଚ୍ଚନ କରୋନା ପଜିଟିଭ ଜଣାପଡିବା ପରେ ତାଙ୍କର ମଧ୍ୟ ନାନାବତି ହାସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଅଭିଶେଖ ଟୁଇଟ କରି ଶାନ୍ତ ରହିବା ସହିତ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ଦୁଇ ଜଣଯାଙ୍କର ଆଂଟିଜେନ ଟେଷ୍ଟ କରାଯିବା ପରେ କୋଭିଡ୍ ଥିବା ଜଣାପଡ଼ିଥିଲା  ।

ଅନ୍ୟପକ୍ଷରେ ବୋହୁୃୃ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବିଗ ବିଙ୍କ ନାତୁଣୀ  ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଆଂଟିଜେନ ଟେଷ୍ଟରେ କରୋନା ନେଗେଟିଭ ଆସିଥିବା ବେଳେ ଆଜି ଆରଟିପିସିଆର ଟେଷ୍ଟ ପରେ ଏହି ୨ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ସେମାନଙ୍କୁ ଏବେ ହସ୍ପିଟାଲରେ ଭର୍ତି କରାଯାଇଛି ।

ସେପଟେ ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇ ସ୍ଥିତ ୪ଟି ବାସଭବନକୁ ସିଲ କରାଯାଇଛି । ଜଲସା, ପ୍ରତୀକ୍ଷା, ଜନକ, ବତ୍ସକୁ ସିଲ କରିଦିଆଯାଇଛି । ଜଲସାରେ ବିଶୋଧନ କରାଯାଇଛି । ଚିନ୍ତାଜନକ କଥା ହେଉଛି ମୁମ୍ୱାଇର ଯେଉଁ ଅଂଚଳରେ ଅମିତାଭଙ୍କ ବାସଭବନ ଜଲସା ରହିଛି ସେହି ଅଂଚଳରୁ କେବଳ ୫ ହଜାର ୩ ଶହ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ କରି କହିଛନ୍ତି, ଖବର ଶୁଣି ଦୁଃଖ ଲାଗିଲା । 

ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଟୁଇଟ କରି କହିଛନ୍ତି, ଆମେ ଆପଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ , ଶୀଘ୍ର ଭଲ ହୁଅନ୍ତୁ । ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ, ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ଟୁଇଟ କରି ସୂଚନା ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ସୋନମ କପୁର ଆହୁଜା ଟୁଇଟି କରି କହିଛନ୍ତି  ଅମିତ ଜୀ ଶୀଘ୍ର ସୁସ୍ଥ ହୁଅନ୍ତୁ, ଆପଣଙ୍କ ପାଇଁ ପ୍ରାର୍ଥନା କରୁଛି ।

ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଦେଶ । ଉତରପ୍ରଦେଶ ଲଖନୌରେ ଅମିତାଭଙ୍କ ପାଇଁ ସ୍ୱତନ୍ତ୍ର ପୂଜା କରାଯାଇଛି । ଠାକୁରଙ୍କ ନିକଟରେ ଅମିତାଭଙ୍କ ଫଟୋ ରଖି ତାଙ୍କର ଆଶୁ ଆରୋଗ୍ୟ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ଫ୍ୟାନ । ଭୋପାଲରେ ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଛି । କିପରି ଅମିତାଭ୍ ସୁସ୍ଥ ହୋଇ ଫେରିବେ ସେ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ଫ୍ୟାନ୍ । ସେପଟେ ଅଭିନେତା ଅନୁପମ ଖେରଙ୍କ ମାଆ ଓ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁପମ ଖେର ଏନେଇ ଟୁଇଟ୍ କରି ସୂଚନା ଦେବା ସହିତ ଭିଡିଓ ବାର୍ତା ଜାରି କରିଛନ୍ତି । ବଲିଉଡର ଏହି ବଡ ବଡ ଅଭିନେତା ଓ ଅଭିନେତ୍ରୀଙ୍କ କ୍ଷେତ୍ରରେ କରୋନା ଚିହ୍ନଟ ହେବାକୁ ସାରା ଦେଶ ସହଜରେ ଗ୍ରହଣ କରିପାରିନାହିଁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।