ଦେଶରେ କରୋନା ସଂକ୍ରମଣରେ ଅଲୋଡ଼ା ରେକର୍ଡ: ଅଗଷ୍ଟ ମାସରେ ଭାରତରେ ହୋଇଛି ସବୁଠୁ ଅଧିକ ସଂକ୍ରମଣ

ଗୋଟିଏ ମାସରେ ଚିହ୍ନଟ ହୋଇଛନ୍ତି ପ୍ରାୟ ୨୦ ଲକ୍ଷ ନୂଆ ଆକ୍ରାନ୍ତ

252

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅଗଷ୍ଟମାସରେ କରୋନା ସଂକ୍ରମଣ ନେଇ ତଥ୍ୟ ଆସିଛି । ଅଗଷ୍ଟ ମାସରେ ଭାରତରେ ପ୍ରାୟ ୨୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ କରୋନା ସଂକ୍ରମଣରେ ଏକ ଅଲୋଡ଼ା ରେକର୍ଡ କରିଛି । ଅଗଷ୍ଟ ମାସରେ ଭାରତରେ ହିଁ ସୁବଠୁ ଅଧିକ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହୋଇଛି । ଅଗଷ୍ଟରେ ଭାରତରେ ମୋଟ୍ ୧୯ ଲକ୍ଷ ୮୭ ହଜାର ୭୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଆମେରିକାରେ ୧୯ ଲକ୍ଷ ୪ ହଜାର ୪୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଅଗଷ୍ଟ ମାସରେ ଦେଶରେ ପ୍ରାୟ ୨୯ ହଜାର କରୋନା ଜିନତ ମୃତ୍ୟୁ ହୋଇଛି ।

ଗୋଟିଏ ମାସରେ ୨୮ ହଜାର ୮ ଶହ ୫୯ ଜଣଙ୍କ ଜୀବନ ନେଇଛି କରୋନା । ତେବେ ଗୋଟିଏ ମାସରେ ମୃତ୍ୟୁ ସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପଛରେ ଅଛି ଭାରତ । ଅଗଷ୍ଟରେ ଆମେରିକାରେ ପ୍ରାୟ ୩୧ ହଜାର ମୃତ୍ୟୁ ହୋଇଛି । ସେହିପରି ବ୍ରାଜିଲରେ କରୋନା ଗୋଟିଏ ମାସରେ ୨୯ ହଜାରରୁ ଅଧିକ ଜୀବନ ନେଇଛି । ଦେଶରେ ଏବେ ମୋଟ୍ ସଂକ୍ରମଣ ସଂଖ୍ୟା ପ୍ରାୟ ୩୬ ଲକ୍ଷରୁ ଅଧିକ ଥିବା ବେଳେ ପ୍ରାୟ ୨୮ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ୬୫ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ଦେଶରେ ଏବେ ପ୍ରାୟ ୮ ଲକ୍ଷ ସକ୍ରିୟ ସଂକ୍ରମିତ ରହିଛନ୍ତି । ସୋମବାର ପ୍ରାୟ ୬୬ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ନେଇ ଟାଇମ୍ସ ଇଣ୍ଡିଆ ତଥ୍ୟ ଦେଇଛି ।