ରବିବାର ଦେଶରେ ୬୩ ହଜାର ୮୫୧ନୂଆ ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତ ସଂଖ୍ୟା ୨୨ ଲକ୍ଷ ୧୪ ହଜାର ୨୬୯କୁ ବୃଦ୍ଧି; ରାଜ୍ୟମାନଙ୍କ ସୂଚନା ଅନୁସାରେ ଦିନକରେ ୧ ହଜାର ମୃତ୍ୟୁ

ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୫ ଲକ୍ଷରୁ ଅଧିକ ସଂକ୍ରମିତ । ରେକର୍ଡ ସଂଖ୍ୟକ ୭ଲକ୍ଷ ୨୦ ହଜାର ନମୁନା ପରୀକ୍ଷା

120

କନକ ବ୍ୟୁରୋ: ରବିବାର ଦେଶର ବିଭିନ୍ନ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୮୫୧ କରୋନା ନୂଆ ଆକ୍ରାନ୍ତ । ଏଥିସହ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୪ ହଜାର ୨୬୯ରେ ପହଁଚିଛି । କେବଳ ମହାରାଷ୍ଟ୍ରରେ ୧୨ ହଜାର ୨୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୦ ହଜାର ୮୨୦ ଜଣ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗମାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶରେ ରବିବାର ଦିନ ୧ ହଜାର ଲୋକଙ୍କର ଜୀବନ ଯାଇଛି ।

ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ଦେଶରେ ୬ ହଜାର ୨୭୯ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୩୦ ହଜାର ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହାର ୬୯ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ରେକର୍ଡ ସଂଖ୍ୟକ ୭ଲକ୍ଷ ୨୦ ହଜାର ନମୁନା ପରୀକ୍ଷା କରାଯାଇଛି । ଅଧିକ ପରୀକ୍ଷା କରାଯାଉଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ୁଥିବା କୁହାଯାଉଛି । ସେପଟେ ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୭ ଲକ୍ଷ ୩୦ ହଜାର ୧୩ରେ ପହଁଚିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୭ଲକ୍ଷ ୨୮ ହଜାର ୫୪୯କୁ ବୃଦ୍ଧି ପାଇଛି ।

କେବଳ ଆମେରିକାରେ ୫୦ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆମେରିକାରେ ଏପର୍ଯ୍ୟନ୍ତ ୫୦ ଲକ୍ଷ ୩୩ ହଜାର ୯୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ଲକ୍ଷ ୬୨ ହଜାର ୮୩୩ଜଣଙ୍କର ମୃତ୍ୟୁ ହୋଇଛି । ଦ୍ୱିତୀୟରେ ବ୍ରାଜିଲରେ ୩୦ଲକ୍ଷ ୧୨ ହଜାର ୪୧୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧ଲକ୍ଷ ୪ ଶହ ୭୭ ଜଣଙ୍କର ମୃତ୍ୟୁ ହୋଇଛି ।