ଭାରତରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ । ଭୟଙ୍କର ଭୂତାଣୁ ନେଲା ୭୬ ବର୍ଷୀୟ ଆକ୍ରାନ୍ତଙ୍କ ଜୀବନ ।

5,498

କନକ ବ୍ୟୁରୋ : ଭୟଙ୍କର କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଭାରତରୁ ସାମ୍ନାକୁ ଆସିଛି ବଡ ଖବର । ଭାରତରେ କରୋନା ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ଦେଶରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣାଟକ କାଲବର୍ଗା ଅଂଚଳର ୭୬ ବର୍ଷିୟ ବୃଦ୍ଧ । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର କମିଶନର ଆଜି ଏହା ସ୍ପଷ୍ଟ କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିକଟରେ ସାଉଦି ଆରବରୁ ଆସିବା ପରେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ବୃଦ୍ଧ ଜଣକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ତେବେ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ରିପୋର୍ଟ ଆସିବା ପରେ ୭୬ ବର୍ଷିୟ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତେଲେଙ୍ଗାନାର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାରୁ ତେଲେଙ୍ଗାନା ସରକାର ଏହି ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ତେବେ ଅନ୍ୟପଟେ ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଂଚିଛି । ଯଦିଓ ଏହି ଭୂତାଣୁ ଧିରେ ଧିରେ ବ୍ୟାପୁଛି, ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ଏହାରି ଭିତରେ କରୋନା ଭାଇରସରେ ଭାରତରେ ପ୍ରଥମ ଜୀବନ ଯାଇଥିବା ନେଇ ସୂଚନା ମିଳିଛି ।