କନକ ବ୍ୟୁରୋ : କରୋନା ଭାଇରସ୍ ସଂକ୍ରମଣ ଆଶଙ୍କାରେ ଆଉ ତିନିଟି ଦେଶର ନାଗରିକଙ୍କ ଭାରତ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର । ସେମାନେ ହେଉଛନ୍ତି ଫ୍ରାନ୍ସ, ଜର୍ମାନି ଏବଂ ସ୍ପେନ୍ର ନାଗରିକ । ସେମାନଙ୍କୁ ଦିଆଯାଇଥିବା ରେଗୁଲାର ଏବଂ ଇ-ଭିସାଗୁଡ଼ିକୁ ରଦ୍ଦ କରାଯାଇଛି ।
ଏହାଛଡ଼ା ଇଟାଲି, ଇରାନ୍, ଜାପାନ ଏବଂ ଦକ୍ଷିଣ କୋରିଆର ନାଗରିକମାନଙ୍କୁ ମାର୍ଚ ୩ ତାରିଖ ପୂର୍ବରୁ ଦିଆଯାଇଥିବା ଭିସାଗୁଡ଼ିକୁ ମଧ୍ୟ ରଦ୍ଦ କରି ଦିଆଯାଇଛି । ଫେବ୍ରୁଆରି ୫ ତାରିଖ ପୂର୍ବରୁ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ଭିସାଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।
ପୂର୍ବରୁ ଚୀନ୍, ଇରାନ୍, ଇଟାଲି, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ଜର୍ମାନି ଏବଂ ସ୍ପେନ୍ ଗସ୍ତରେ ଯାଇ ଭାରତକୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକମାନଙ୍କୁ ଫେବ୍ରୁଆରି ୧ ତାରିଖ ସୁଦ୍ଧା ମଞ୍ଜୁର କରାଯାଇଥିବା ସମସ୍ତ ଭିସା ଏବଂ ଇ-ଭିସା ମଧ୍ୟ ସରକାର ରଦ୍ଦ କରିଛନ୍ତି ।
ଯେଉଁ ଭାରତୀୟ ନାଗରିକମାନେ ବିଦେଶ ଗସ୍ତରେ ଯିବାକୁ ଆଗ୍ରହୀ ସେମାନଙ୍କ ପ୍ରତି ମଧ୍ୟ ସରକାର ଟ୍ରାଭେଲ୍ ଆଡ୍ଭାଇଜରି (୨) ଜାରି କରିଛନ୍ତି । ସେଥିରେ ସୂଚାଇ ଦିଆଯାଇଛି ଯେ ଏବେ ବିଶ୍ୱର ଶତାଧିକ ଦେଶରେ କରୋନା ଭାଇରସ୍ ସଂକ୍ରମଣ ହୋଇଛି । ସେଠାକୁ ଗଲେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଭିସା ପାଇ ମଧ୍ୟ ଏପର୍ଯ୍ୟନ୍ତ ଭାରତକୁ ପ୍ରବେଶ କରି ନ ଥିବା ଉପରୋକ୍ତ ସମସ୍ତ ଦେଶର ନାଗରିକମାନଙ୍କ ପ୍ରତି ଏହି କଟକଣା ଲାଗୁ କରାଯାଇଛି । ଭାରତ ସରକାରଙ୍କ କଟକଣା ଜଳ, ସ୍ଥଳ ଓ ଆକାଶ ପଥ ବ୍ୟବହାର କରୁଥିବା ସମସ୍ତ ବିଦେଶୀ ନାଗରିକଙ୍କ ପ୍ରତି ପ୍ରଯୁଜ୍ୟ ।