କନକ ବ୍ୟୁରୋ: ଏସିଆ କପ୍ ହକି ୨୦୨୫ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ଏକ ବଡ଼ ବ୍ୟବଧାନରେ ପରାଜିତ କରିବା ସହ ଏସିଆ କପ୍‌ ଚାମ୍ପିୟନ ଟାଇଟଲ ହାତେଇଛି । ବିହାରର ରାଜଗିର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇଛି । ଏହି ବିଜୟ ସହିତ ଭାରତ ଆସନ୍ତା ବର୍ଷ, ଅର୍ଥାତ୍ ୨୦୨୬ ରେ ବେଲଜିୟମ୍ ଏବଂ ନେଦରଲ୍ୟାଣ୍ଡ୍ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ବି ଯୋଗ୍ୟତା ଅର୍ଜନ କରିଛି ।

Advertisment

ଭାରତ ଚତୁର୍ଥ ଥର ପାଇଁ ହକି ଏସିଆ କପ୍ ଟାଇଟଲ୍ ଜିତିଛି । ଏହି ବିଜୟ ଭାରତ ପାଇଁ ସ୍ୱତନ୍ତ୍ର ରହିବ, କାରଣ ଭାରତ ୫ ଥରର ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ପରାସ୍ତ କରିଛି । ଏହା ପୂର୍ବରୁ ଭାରତ ୨୦୧୭ରେ ମାଲେସିଆକୁ ହରାଇ ଏସିଆ କପ୍ ଜିତିଥିଲା ।

ଫାଇନାଲ୍ ମ୍ୟାଚର ପ୍ରଥମ କ୍ୱାର୍ଟରର ପ୍ରଥମ ମିନିଟରେ ଭାରତର ସୁଖଜିତ୍ ସିଂହ ଗୋଲ୍ ଦେଇ ଲିଡ୍‌ ଦେଇଥିଲେ । ପ୍ରଥମ କ୍ୱାର୍ଟର ଶେଷ ହେବା ପରେ ଭାରତ ୧-୦ ରେ ଆଗୁଆ ରହିଥିଲା । ଭାରତ ଉଭୟ କ୍ୱାର୍ଟରରେ ଗୋଟିଏ ଗୋଟିଏ  ଗୋଲ୍ ଦେଇ ୨-୦ ର ଅଗ୍ରଣୀ ହାସଲ କରିଥିଲା । ହାଫ୍ ଟାଇମ୍ ସୁଦ୍ଧା ଭାରତର ସ୍କୋର ୨-୦ ଥିଲା । ଦକ୍ଷିଣ କୋରିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ୍ କରିପାରିନଥିଲା ।

ତୃତୀୟ କ୍ୱାର୍ଟରର ଶେଷ ମିନିଟରେ ଭାରତ ପୁଣି ଥରେ ଗୋଲ୍ ଦେଇ ୩-୦ ଲିଡ୍‌ ହାସଲ କରି ନେଇଥିଲା। ଚତୁର୍ଥ କ୍ୱାର୍ଟରର ୫୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ରୋହିଦାସ ଏହି ସୁଯୋଗର ସଦୁପଯୋଗ କରି ପୁଣି ଏକ ଗୋଲ୍ ଦେଇଥିଲେ । କିନ୍ତୁ ଏହି କ୍ୱାର୍ଟରରେ ଦକ୍ଷିଣ କୋରିଆ ମଧ୍ୟ ଏକ ଗୋଲ୍ ଦେଇଥିଲା । ସେତେବେଳକୁ ଭାରତର ୪-୧ରେ ଲିଡ୍‌ ନେଇ ଖେଳୁଥିଲା । କିନ୍ତୁ ଏହାପରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ କୌଣସି ଗୋଲ୍ କରିବାକୁ ଦେଇନଥିଲା । କାରଣ ଦଳ ପ୍ରତିରକ୍ଷାତ୍ମକ ରଣନୀତି ଆପଣାଇଥିଲା । ଶେଷରେ ଭାରତ ବିଜୟ ହାସଲ କରିଛି ।

ଭାରତୀୟ ହକି ଦଳ ଶେଷ ସୁପର-୪ ମ୍ୟାଚରେ ଚୀନ୍‌କୁ ୭-୦ ରେ ହରାଇ ଫାଇନାଲରେ ସ୍ଥାନ ପାଇଥିଲା । ଲିଗ୍‌ରେ ବି ଭାରତର ଯାତ୍ରା ଅପରାଜିତ ରହିଥିଲା । ଅନ୍ୟପଟେ, କୋରିଆ ଶେଷ ସୁପର-୪ ମ୍ୟାଚରେ ମାଲେସିଆକୁ ୪-୩ ରେ ହରାଇ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଭାରତ ୨୦୦୩, ୨୦୦୭, ୨୦୧୭ ପରେ ଏବେ ୨୦୨୫ ରେ ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି । ଖାଲି ସେତିକି ନୁହେଁ ଦଳ ୧୯୮୨, ୧୯୮୫, ୧୯୮୯, ୧୯୯୪ ଏବଂ ୨୦୧୩ରେ ୫ ଥର ଉପବିଜେତା ମଧ୍ୟ ରହିଛି ।