ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ, ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ନେଲା ଭାରତ ।

322

କନକ ବ୍ୟୁରୋ : ବିଦେଶ ମାଟିରେ ଟିମ ଇଣ୍ଡିଆର ଐତିହାସିକ ଟେଷ୍ଟ ବିଜୟ । ଅଷ୍ଟେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ତାର ଘରୋଇ ମାଟିରେ ପରାଜିତ କରିଛି ଭାରତୀୟ କ୍ରିକେଟ ଦଳ । ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ୩ ୱିକେଟରେ ଜିତି ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଭାରତ । ଗତ ୩୩ ବର୍ଷ ହେଲା ବ୍ରିସବେନରେ ହାରିନଥିଲା କଙ୍ଗାରୁ ଦଳ, ହେଲେ ଆଜି ତାହା କରିଦେଖାଇଛନ୍ତି ରାହାଣେ ବାହିନୀ । ୫ ଦିନ ଧରି ଚାଲିଥିବା ଏହି ଶେଷ ଟେଷ୍ଟ ମ୍ୟାଚରେ ପୁଜାରା ଓ ଋଷଭ ପନ୍ଥଙ୍କ ଚମତ୍କାର ଖେଳ ଅସମ୍ଭବକୁ ସମ୍ଭବ କରିପାରିଛି ।

ବିଦେଶ ମାଟିରେ ବିଜୟର କାହାଣୀ ଯେତେବେଳେ ବି ଆସିବ ବ୍ରିସବେନର ଏହି ମୁହୂର୍ତ୍ତର କଥା ନିଶ୍ଚୟ ଆସିବ । ଏହା ଏମିତି ଏକ ମୁହୂର୍ତ୍ତ ଯାହା କେବଳ କ୍ରିକେଟ୍ ପ୍ରେମୀଙ୍କୁ ଉତ୍ସାହିତ କରିନାହିଁ ବରଂ ଭାରତୀୟ କ୍ରିକେଟର ଉଜ୍ଜଳ ଭବିଷ୍ୟତକୁ ପ୍ରମାଣିତ କରୁଛି । ମନେ ପକାନ୍ତୁ କେଉଁ ଭଳି ପ୍ରତିକୂଳ ମୁହୁର୍ତରେ ଥିଲା ଭାରତ ।

ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି, ଏକାଧିକ ଖେଳାଳି ଆହତ, ବର୍ଣ୍ଣବୈଷମ୍ୟର ଅପବାଦ, ଆଡିଲେଡରେ ୩୬ ରନରେ ଅଲଆଉଟ୍, କ୍ୱାରେଣ୍ଟିନ୍ ସମସ୍ୟା, ବିଦେଶୀ ପରିବେଶ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଷ୍ଟ୍ରେଲିଆର ଅଭେଦ୍ୟ ଗଡ଼ ବ୍ରିସବେନ୍ । ହେଲେ ଏହି ସବୁକୁ ଅତିକ୍ରମ କରି ଭାରତ ଯେଉଁ ସଫଳତା ଅର୍ଜନ କରିଛି, ଯାହା ଦୀର୍ଘ ୩ ଦଶନ୍ଧି ଭିତରେ ସମ୍ଭବ ହୋଇନଥିଲା ।

କୁହାଯାଏ, କ୍ରିକେଟର କାହାଣୀ ଅଟକିଯାଏନି । କପିଲ ଦେବ, ସୁନିଲ ଗାଭାସ୍କର, ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକର । କେତେ ବଡ଼ ବଡ଼ ଖେଳାଳି ଦେଖିଛି ଟିମ୍ ଇଣ୍ଡିଆ । ସେତେବେଳେ ବି କ୍ରିକେଟ୍ ଥିଲା ଏବେ ବି ଅଛି । କିନ୍ତୁ ଏଥର ବି ଦଳରେ ନଥିଲେ ଷ୍ଟାର ଖେଳାଳି । ବିରାଟ୍ କୋହଲି, ଆର୍. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ଟିମରେ ନଥିଲେ ।

ବରିଷ୍ଠ ଖେଳାଳୀଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରିନଥିଲା, କାରଣ ଟିମ୍ ଇଣ୍ଡିଆର ୟଙ୍ଗ୍ ବ୍ରିଗେଡ୍ ମ୍ୟାଚ୍ ଜିତିବା ପାଇଁ ପାଣି ଛଡ଼ାଇ ଦେଇଥିଲେ । ରିଷଭ ପନ୍ଥ, ଶୁଭମନ୍ ଗିଲ୍, ଶାର୍ଦ୍ଧୁଲ ଠାକୁର, ମହମ୍ମଦ ସିରାଜ୍ ଏବଂ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନ, ସମସ୍ତଙ୍କୁ ପ୍ରଭାବିତ କରିଛି । ଆଉ ଏହି ପ୍ରଭାବୀ ପ୍ରଦର୍ଶନ ବିଦେଶ ମାଟିରେ ଟିମ୍ ଇଣ୍ଡିଆକୁ ଐତିହାସିକ ବିଜୟ ଆଣି ଦେଇଛି ।

ଆଜିର ଏହି ସଫଳତାକୁ ଠିକ୍ ଆକଳନ କରାଯାଇପାରିବ ଯଦି, ୩୨ ବର୍ଷ ତଳର ଗାବା ଟେଷ୍ଟର ପୁରୁଣା ପୃଷ୍ଟାକୁ ଓଲଟାଯିବ । ମସିହା-୧୯୮୮ । ମ୍ୟାଚ୍- ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେଉଥିଲେ ଭିଭିଆନ୍ ରିଚାଡର୍ସ । ରିଚାଡର୍ସଙ୍କ ରଣନୀତି ଆଗରେ ନିଜମାଟିରେ ହାରମାନିଥିଲା ଅଷ୍ଟ୍ରେଲିଆ । ତା’ ପରଠାରୁ ବ୍ରିସବେନ୍ ଥିଲା ଅଭେଦ୍ୟଗଡ଼ ।
୩୨ ବର୍ଷର ରେକର୍ଡ ଭାଙ୍ଗିଲା । ୫୯ ବର୍ଷ ପରେ ନୂଆ ରେକର୍ଡ ହେଲା । ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ୍ ଜିତିଲା ଭାରତ । ୨୦୧୮-୧୯ ପରେ ୨୦୨୦-୨୧ରେ ସମାନ ବିଜୟ ବ୍ୟବଧାନ ରଖି, କ୍ରମାଗତ ସିରିଜ୍ ଜିତିଛି ଭାରତ । ସେହିପରି ଗାବାରେ ସର୍ବାଧକ ରନ୍ ଚେଜର ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ଏହି ସିରିଜ୍ ବିଜୟ ପାଇଁ କେବଳ କ୍ରିକେଟ୍ ସମର୍ଥକ ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ବ୍ରିସବେନର ଏହି ସ୍ମରଣୀୟ ବିଜୟ ପାଇଁ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ ।