୧୪ ବର୍ଷ ପୂର୍ବ ଆଜିର ଦିନରେ… । ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଚିତପଟାଙ୍ଗ ମାରିଥିଲା, ଭାରତ ବିଶ୍ୱବିଜୟୀ ହୋଇଥିଲା ।  ଦେଖନ୍ତୁ ସେହି ଦିନର ଭିଡ଼ିଓ । 

164

କନକ ବ୍ୟୁରୋ : ୨୪ ସେପ୍ଟେମ୍ବର ୨୦୦୭ । ଆଜିକୁ ଠିକ୍ ୧୪ ବର୍ଷ ତଳେ । ବିଶ୍ୱ କ୍ରିକେଟ ଅଧ୍ୟାୟରେ ନୂଆ ଇତିହାସ ରଚିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ ବିଶ୍ୱକପ, ଆଉ ସେଥିରେ ଟିମ୍ ଇଣ୍ଡିଆ ଚାମ୍ପିୟନ । ଯେଉଁ ଟିମ୍ ୨୦୦୭ ଦିନିକିଆ ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ଆଉଟ ହୋଇଥିଲା ସେହି ଟିମ ଯେ ଟାଇଟଲ ଜିତିବା ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ଆଉ ଏହି ଐତିହାସିକ ବିଜୟର ସୂତ୍ରଧାର ସାଜିଥିଲେ ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ । ଆଉ ଏହାର ମଙ୍ଗ ଧରିଥିଲେ ମହେନ୍ଦ୍ର ସିଂ ଧୋନୀ ।

ଟି-୨୦ର ପ୍ରଥମ  ବିଶ୍ୱକପ, ଭାରତ ଚାମ୍ପିୟନ । ଆଉ ତାହା ବି ପୁଣି  ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ବିଜୟର ମୂଲ୍ୟ ବେଶ ଅଧିକ ଥିଲା । କାରଣ ଦିନିକିଆ ବିଶ୍ୱକପ ପରାଜୟର ଅବଶୋଷକୁ  ହଟାଇଥିଲା ଏହି ଟି-୨୦ ବିଶ୍ୱକପ ବିଜୟ । ଆଉ ଯେତେବେଳେ ପ୍ରତିଦ୍ୱନ୍ଦୀ ଭାବେ ମୈଦାନକୁ ପାକିସ୍ତାନ ଓହ୍ଲାଇଥିଲା ତାହା ଏହି ଫାଇନାଲ ମୁକାବିଲାକୁ ଆହୁରି ରୋମାଞ୍ଚକର କରିଦେଇଥିଲା ।

ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା । ଜୋହାନ୍ସବର୍ଗର ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ସାମ୍ନସାମ୍ନି ହେଉଥିଲେ ଦୁଇ ଚିର ପ୍ରତିଦ୍ୱଦ୍ୱୀ ।  ଯେହେତୁ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ମାତ୍ ଖାଇଥିଲା ତେଣୁ ଫାଇନାଲ ଜିତି ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲା ପାକିସ୍ତାନ । ଅନ୍ୟପଟେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡକୁ ବଜାୟ ରଖିବା ସହ ଟାଇଟଲ ଲକ୍ଷ୍ୟରେ ରହିଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଉ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।

୧୫୮ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନକୁ ପ୍ରଥମରୁ ଝଟକା ଦେଇଥିଲେ ଭାରତୀୟ ବୋଲର । ୭୭ ରନରେ ୬ଟି ୱିକେଟ ହରାଇ ସଙ୍କଟଜନକ ସ୍ଥିତିରେ ପହଞ୍ଚିଥିଲା ପାକିସ୍ତାନ । କିନ୍ତୁ ଶେଷ ଆଡକୁ ମିସବା ଉଲ ହକ୍, ସୋହେଲ ତନଭୀର ଓ ୟାସିର ଅରଫାତଙ୍କ ଇନିଂସ ପାକିସ୍ତାନ ପାଇଁ ବିଜୟ ଆଶା ବଢାଇଥିଲା । ମିସବା ଷ୍ଟ୍ରାଇକରେ ରହୁଥିବା ବେଳେ ଭାରତର ବିଜୟ ଆଶା ମଧ୍ୟ ଧୀରେ ଧୀରେ ମଉଳୁଥିଲା । ଆଉ ଏହି ମ୍ୟାଚର ରୋମାଞ୍ଚ ଶେଷ ଓଭର ଯାଏଁ ଦେଖିବାକୁ ମିଳିଥିଲା ।

ପାକିସ୍ତାନକୁ ଶେଷ ଓଭରରେ ଜିତିବାକୁ ୧୩ ରନର ଆବଶ୍ୟକତା ଥିବା ବେଳେ ହାତରେ ଗୋଟିଏ ୱିକେଟ ରହିଥିଲା । ରୋମାଞ୍ଚକର ମୋଡରେ ମ୍ୟାଚ୍ ପହଞ୍ଚିଥିବା ବେଳେ ଯୋଗୀନ୍ଦର ଶର୍ମାଙ୍କ ହାତରେ ବଲ ଦେଇଥିଲେ ଧୋନୀ । ଷ୍ଟ୍ରାଇକରେ ଥିଲା ମିସବା, ଆଉ ପାକିସ୍ତାନର ବିଜୟ ଆଶା ମଧ୍ୟ ବଢୁଥିଲା । ଶେଷ ଓଭରର ପ୍ରଥମ ବଲ ୱାଇଡ ପଡିଥିବା ବେଳେ ଦ୍ୱିତୀୟ ବଲରେ ବିଶାଳକାୟ ଛକା ମାରିଥିଲେ ମିସବା । ଆଉ ଏହି ଛକା ପାକିସ୍ତାନକୁ ଟାଇଟଲ ବିଜୟ ଆଡକୁ ନେଉଥିଲା । କିନ୍ତୁ ଓଭରର ତୃତୀୟ ବଲରେ ମିସବା ସ୍କୁପ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ  । ମିସବାଙ୍କ ବ୍ୟାଟରୁ ବାହାରିଥିବା ଏହି ସଟ୍ ଭାରତୀୟଙ୍କ ଛାତିରେ ଛନକା ଭରିଥିଲା । ଏପରିକି କିଛି ସମୟ ପାଇଁ ଲାଗିଲା ମିସବାଙ୍କ ଏହି ସଟ୍ ବାଉଣ୍ଡରୀ ପାର କରିଛି । କିନ୍ତୁ ବଲ ତଳକୁ ଆସିବା ସହ ଟିମ୍ ଇଣ୍ଡିଆର ଚାମ୍ପିୟନ ଆଶାକୁ ପୂରଣ କରିଥିଲା । କାରଣ ବଲଟି ସିଧାସଳଖ ଶ୍ରୀସନ୍ଥଙ୍କ ହାତକୁ ଆସିଥିଲା । ଆଉ ଏହାସହ ଟିମ୍ ଇଣ୍ଡିଆ ରଚିଥିଲା ନୂଆ ଇତିହାସ । ପ୍ରଥମ ଟି-୨୦ ବିଶ୍ୱକପର ଚାମ୍ପିୟନ ହୋଇଥିଲା ଭାରତ । ଆଉ ଆଜି ଏହି ଘଟଣାକୁ ୧୪ ବର୍ଷ ପୂରିଛି, କିନ୍ତୁ ଶ୍ରୀସନ୍ଥଙ୍କ ସେହି କ୍ୟାଚ୍ ଏବେ ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି ।