ଲଦାଖ ସୀମାରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର । ବିବାଦୀୟ କ୍ଷେତ୍ରରୁ ହଟିବ ଦୁଇ ଦେଶର ସେନା, କୂଟନୈତିକ ବୈଠକରେ ଦୁଇ ଦେଶର ସେନା ଅପସାରଣ ନେଇ ଆଲୋଚନା ।

990

କନକ ବ୍ୟୁରୋ : ପେଙ୍ଗୋଙ୍ଗ ହ୍ରଦରୁ ପଛକୁ ହଟୁଛି ଚୀନ୍ । ଖାଲି ହେଉଛି ସୀମାର ବିବାଦୀୟ ସ୍ଥଳ । ଗଲୱାନ ପରେ ସବୁଠୁ ବିବାଦୀୟ ସ୍ଥଳ ପେଙ୍ଗୋଙ୍ଗ ହ୍ରଦ ନିକଟରୁ ଆରମ୍ଭ ହୋଇଛି ଚୀନ୍ ସେନା ପ୍ରତ୍ୟାହାର ପ୍ରକ୍ରିୟା । ପଛକୁ ହଟୁଛି ଚୀନର ପିପୁଲ ଲିବରେସନ୍ ଆର୍ମି । ଶୁକ୍ରବାର ଭାରତ ଏବଂ ଚୀନର ଉଚ୍ଚସ୍ତରୀୟ କୂଟନୈତିକ ବୈଠକରେ ସେନା ପ୍ରତ୍ୟାହାର ନେଇ ସହମତି ହେବା ପରେ ପ୍ରଥମ ପର୍ଯ୍ୟାୟ ଅପରେସନ ଆରମ୍ଭ ହୋଇଯାଇଛି । ତେବେ ପୁରା ପ୍ରକ୍ରିୟା ପାଇଁ ପୁଣି ଥରେ ବୈଠକ ବସିବ । ଚଳିତ ସପ୍ତାହରେ ବସିବାକୁ ଥିବା ସୀମା ପରିଚାଳନା ଓ ପରାମର୍ଶଦାତା କମିଟିର ଏହି ବୈଠକ ପରେ ସୀମାର ସମସ୍ତ ବିବାଦୀୟ ସ୍ଥଳରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ନେଇ ନିଷ୍ପତି ନିଆଯିବା ସମ୍ଭାବନା ରହିଛି ।

ପୂର୍ବ ଲଦାଖ ସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ । ଫୋକସରେ ଏଲଏସିରେ ଭାରତର ସାମରିକ ସ୍ଥିତି । ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ସୀମା ଟପିଲାଣି । ଏଲଏସି ଅର୍ଥାତ୍ ପ୍ରକୃତ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି । ବ୍ୟାକଡୋରରେ ଜାରି ରହିଛି କୂଟନୈତିକ ଆଲୋଚନା । ଏହାରି ଭିତରେ ପୂର୍ବ ଲଦାଖରେ ଭାରତର ସାମରିକ ସ୍ଥିତି ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏଲଏସିରୁ ଉଭୟ ଦେଶର ସେନା ପ୍ରତ୍ୟାହାର ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ।

ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଓ ଗୋଗ୍ରା ହଟସ୍ପ୍ରିଙ୍ଗ ଅଂଚଳରୁ ଚୀନ୍ ସେନା ପ୍ରାୟ ଅଢେଇ କିଲୋମିଟର ପଛକୁ ହଟିଛନ୍ତି । ସାଟେଲାଇଟ୍ ଚିତ୍ର ଏବଂ ଡ୍ରୋନ୍ କ୍ୟାମେରା ଦ୍ୱାରା ସୀମାର ସ୍ଥିତି ସ୍ପଷ୍ଟ ହୋଇଛି ।

ଚୀନ୍ ପ୍ରସଙ୍ଗରେ ଆମେରିକା ସହ ଆଲୋଚନା । ପ୍ରତିରକ୍ଷା ସଚିବଙ୍କ ସହ କଥା ହେଲେ ରାଜନାଥ ସିଂହ । ଗୋଟିଏ ପଟେ ସୀମାରେ ସେନା ପ୍ରତ୍ୟାହାର ଜାରି ରହିଥିବା ବେଳେ ଆମେରିକା ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆମେରିକୀୟ ପ୍ରତିରକ୍ଷା ସଚିବ ମାର୍କ ଏସପର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଫୋନରେ ଦୀର୍ଘ ସମୟ ଧରି କଥା ହୋଇଛନ୍ତି । ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ପାରସ୍ପରିକ ବୁଝାମଣା ନେଇ ଉଭୟ ନେତା ଆଲୋଚନା କରିଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ଆଲୋଚନାର ମୂଳ ପ୍ରସଙ୍ଗ ଥିଲା, ଭାରତ-ଚୀନ୍ ସୀମା ବିବାଦ ।

କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ସୀମା ବିବାଦ ମଧ୍ୟରେ ଭାରତ-ଆମେରିକାର ଏହି ଆଲୋଚନାକୁ ବିରୋଧ କରିଥିଲା ଚୀନ୍ । ପରେ ଚୀନ୍ ବୈଦେଶିକ ସଚିବଙ୍କୁ ଯାଇଥିଲା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଫୋନ୍ କଲ୍ । ଏବଂ ଏହାପରେ ସୀମାରୁ ସେନା ପ୍ରତ୍ୟାହାର ନେଇ ବାଟ ଫିଟିଥିଲା । ଏବେ ସୀମାର ସମସ୍ତ ବିବାଦୀୟ ସ୍ଥଳରୁ ଉଭୟ ପକ୍ଷର ସେନା ପ୍ରତ୍ୟାହାର ସହ ଶାନ୍ତି ପ୍ରତିଷ୍ଠାକୁ ଅପେକ୍ଷା ରହିଛି ।