ଚୀନକୁ ଭାରତର କଡା ସନ୍ଦେଶ : ଏଲଏସିରେ ଦୀର୍ଘଦିନ ଧରି ଚାଲିବନି ବିବାଦ । ସୀମା ଆଇନ ନ ମାନିଲେ ଫଳ ଭୋଗିବ ଡ୍ରାଗନ । ଗଲଓା୍ୱନ ଘାଟିକୁ ନିଜର ବୋଲି ଦାବିରେ ଅଟଳ ରହିବା ପରେ ଚୀନକୁ ଚେତାବନୀ

1,324

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଚାଲିବନି ସୀମା ବିବାଦ । ଏହାର ଚୀନକୁ ଏହାର ଫଳ ଭୋଗିବାକୁ ପଡିବ । ଲଦାଖ ସୀମାନ୍ତ ଗଲୱାନ ଘାଟି ବିବାଦ ଘଟଣାକୁ ନେଇ ଏବେ ଚୀନକୁ ଏପରି କିଛି କଡାବାଣୀ ଶୁଣେଇ ଦେଇଛି ଭାରତ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସିରେ ଅନ୍ତର୍ଜାତୀୟ ସୀମାକୁ ଚୀନ୍ ଅସ୍ୱୀକାର କରିଆସୁଛି । ଗଲୱାନ ଘାଟିକୁ ନିଜ ଅଂଚଳ ସୀମା ମଧ୍ୟରେ ବୋଲି ଚୀନ୍ ଏବେ ଅବାନ୍ତର ଯୁକ୍ତି ଦର୍ଶାଇ ଅଡି ବସିଛି । ତେବେ ଏହାକୁ ନେଇ ଅତି କଠୋର ଭାବରେ ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ପ୍ରକାଶ କରିଛି । ବାସ୍ତବ ଲାଇନ ଅଫ୍ ଆକଚୁଆଲ୍ କଂଟ୍ରୋଲକୁ ଚୀନ୍ ସ୍ୱୀକାର କରିବା ସହ ସମସ୍ତ ସୀମା ବୁଝାମଣା ତଥା ଅନ୍ତର୍ଜାତୀୟ ସୀମା ଆଇନକୁ ସମ୍ମାନ ଦେବାକୁ ଭାରତ ଆହ୍ୱାନ କରିଛି । ଏହା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଚୀନ୍ ସହଯୋଗ କରିବା ଆବଶ୍ୟକତା ଥିବା ଭାରତ କହିଛି । ବର୍ତମାନର ସୀମା ବିବାଦ ଅଧିକ ଦିନ ଲାଗି ରହିଲେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ପ୍ରଭାବିତ ହେବ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି ଗଲୱାନ ଘାଟି ଯାହାକି ଏଲଏସି ରେ ଯାଉଛି ସେଠାରେ ଚୀନ୍ ପକ୍ଷରୁ ବଡଧରଣର ନିର୍ମାଣ କାମ ଚାଲିଛି । ସୈନ୍ୟ ଠୁଳ କରିବା ସହିତ ବର୍ଡର ପୋଷ୍ଟ ତିଆରି କରୁଛି ଚୀନ୍ । ଗତ ମେ ମାସରୁ ଚୀନ୍ ଏସବୁ କାମ ଗଲୱନ ଘାଟିରେ କରିଆସୁଛି । ଯାହାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିଛି । ଗତ ୧୫ ଜୁନ୍ ରାତିରେ ଚୀନ୍ ସେନା ଭାରତ ସେନା ଉପରେ ଗଲୱନ ଘାଟିରେ ରାତି ଅଧିଆ ଆକ୍ରମଣ କରିବା ପରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଅଧିକ ତେଜିଛି । ଚୀନ୍ ଗଲୱାନ ଘାଟିକୁ ନିଜର ବୋଲି ବଳପୂର୍ବକ ଦାବି କରୁଛି । ଯାହାକୁ ଅସ୍ୱୀକାର କରିଆସିଛି ଭାରତ ।