ଭାରତ-ଚୀନ ସୀମାରେ ଉତ୍ତେଜନା ପ୍ରସଙ୍ଗ: ଆଜି କମାଣ୍ଡର ସ୍ତରୀୟ ଷଷ୍ଠ ବୈଠକ; ଚୂଡାନ୍ତ ନିଷ୍ପତିକୁ ଭାରତ ଦେବ ଗୁରୁତ୍ୱ

ସେପଟେ ୨୦ଟି ପାର୍ବତ୍ୟ ଶିଖର ଅକ୍ତିଆର କରିସାରିଲେଣି ଭାରତୀୟ ଯବାନ । ସୀମାରେ ପଇଁତରା ମାରିବାକୁ ରାଫେଲ ପ୍ରସ୍ତୁତ

217

କନକ ବ୍ୟୁରୋ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ହେଉ ନାହିଁ । ଏପରିକି ଏହାର ସମାଧାନ ଏତେ ସହଜନ ନୁହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ମଧ୍ୟ କହିସାରିଛନ୍ତି । ଅବଶ୍ୟ ଏଥି ପାଇଁ ଦ୍ୱିପାକ୍ଷିକ ଆଲୋଚନା ହିଁ ପ୍ରମୁଖ ବାଟ ବୋଲି ମଧ୍ୟ ସେ ସଂକେତ ଦେଇଛନ୍ତି । ତେବେ ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱ ଦେଇଥିଲେ । ଏହି କ୍ରମରେ ଆଜି ପୁଣି ଥରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହେବ ବୋଲି ଜଣାପଡିଛି । ଏହା କୋର କମାଣ୍ଡର ସ୍ତରୀୟ ଷଷ୍ଠ ବୈଠକ । ଏହି ବୈଠକରେ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହି ବୈଠକ ଚୀନ ଅଧିକୃତ ମୋଲ୍ଦୋରେ ହେବ ବୋଲି ଜଣାପଡିଛି । ଏହି ଦ୍ୱିପାକ୍ଷିକ ଆଲୋଚନାରେ ଭାରତ ଏକ ଦୃଢ ନିଷ୍ପତିରେ ପହଂଚିବାକୁ ଜୋର ଦେବ ବୋଲି କୁହାଯାଉଛି ।

ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ନେବେ କମାଣ୍ଡର ଲେଫ୍ନାଂଟ ଜେନେରାଲ ହରିନ୍ଦର ସିଂହ । ଚୀନ ତରଫରୁ ଏହି ଆଲୋଚନାରେ ଭାଗ ନେବେ ମେଜର ଜେନେରାଲ ଲିଓ ଲିନ୍ । ଭାରତ ଆଜିର ଏହି ବୈଠକରେ ଚୀନ ତୁରନ୍ତ ଫିଙ୍ଗର ପଏଂଟରୁ ହଟିବାକୁ ଜୋର ଦେବ ବୋଲି ସୂଚନା ମିଳିଛି । ଅବଶ୍ୟ ଅଧିକାଂଶ ସ୍ଥାନରେ ଭାରତୀୟ ସେନା ଏଲଏସିରେ ନିଜ ସ୍ଥିତିକୁ ଦୃଢ କରିସାରିଛି । ମିଳିଥିବା ସୂଚନା ଅନୁସାରେ ପୂର୍ବ ଲଦାଖ ଅଂଚଳରେ ୨୦ରୁ ଅଧିକ ଉଚ୍ଚ ସ୍ଥାନକୁ ଏବେ ଭାରତ ନିଜ କବ୍ଜାରେ ନେଇ ସାରିଛି । ଅନ୍ୟପଟେ ଚୀନ ସେନା ଉପରେ ଭାରତୀୟ ସେନା କଡା ନଜର ରଖିଛି । ଏପରିକି ଏଲଏସି ଅଂଚଳରେ ଭାରତୀୟ ବାୟୁସେନା ରାଫେଲ ଫାଇଟର ଜେଟ୍ ମୁତୟନ କରିବାର ଯୋଜନା କରିଥିବା ଜଣାପଡିଛି । ପ୍ରାଥମିକ ସ୍ତରରେ ଚୀନର ଗତିବିଧି ଉପରେ ନଜର ରଖି ସେମାନଙ୍କ ସ୍ଥିତି ପରଖିବା ପାଇଁ ଏହି ଅତ୍ୟାଧୁନିକ ଫାଇଟର ଜେଟ୍ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।