ଲଦାଖର ବିବାଦୀୟ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ : ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ ଆଲୋଚନା ପରେ ନେଲେ ନିଷ୍ପତ୍ତି

ଭାରତର ଏଲଏସି ନୀତିକୁ ଆମେରିକାର ସମର୍ଥନ

110

କନକ ବ୍ୟୁରୋ : ଲଦାଖର ବିବାଦୀୟ ଅଂଚଳରୁ ଭାରତ ଓ ଚୀନ୍ ଆରମ୍ଭ କରିଛନ୍ତି ସୈନ୍ୟ ପ୍ରତ୍ୟାହାର । ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ଫ୍ରିକ୍ସନ ପଏଂଟରୁ ସୈନ୍ୟ ଅପସାରଣ ନେଇ ସହମତ ହେବା ପରେ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଗତ ବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ବିବାଦୀୟ ପୋଙ୍ଗୋଙ୍ଗ ସୋ ଅଂଚଳରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ୍ ସେନା ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଅଧିକ ବଢିଥିଲା ।

ଲଦାଖର ଏଲଏସିକୁ ନେଇ ଯୁଦ୍ଧ ଭଳି ସ୍ଥିତି ଉପୁଜଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଭାରତ ଓ ଚୀନ୍ ଏହାର ଆଗୁଆ ପୋଷ୍ଟ ଗୁଡିକରେ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ । ବର୍ତମାନ ଦୁଇ ଦେଶ ମଧ୍ୟରେ ନବମ ପ୍ରତିରକ୍ଷା ମଣ୍ଡଳୀ ସ୍ତରୀୟ ଆଲୋଚନା ପରେ ସୈନ୍ୟ ଅପସାରଣ ନେଇ ସହମତି ମିଳିଛି । ପୋଙ୍ଗୋଙ୍ଗ୍ ସୋ, ଉତର ଏବଂ ଦକ୍ଷିଣ ଅଂଶରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ତେବେ ଦୁଇ ଦେଶ ଏହି ନିୟମକୁ କେତେ ପାଳନ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯାଇଛି । ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏକ ଦୀର୍ଘ କାଳିନ ପ୍ରକ୍ରିୟା । ସେଥିପାଇଁ ଏହି ପ୍ରାରମ୍ଭିକ ସୈନ୍ୟ ଅପସାରଣକୁ ଅଧିକ ଗୁୁରୁତର ସହ ବିଚାରକୁ ନେଇଛନ୍ତି ଭାରତ ଓ ଚୀନ୍ ।

ଆଗରୁ ଭାରତ ପୋଙ୍ଗୋଙ୍ଗ ସୋ, ଚୁସୁଲ ଏବଂ ଗୋଗ୍ରା ହଟସ୍ପ୍ରିଙ୍ଗ୍ ଅଂଚଳରୁ ସୈନ୍ୟ ଅପସାରଣ କରିନେଇଥିଲା । କିନ୍ତୁ ଜୁନ୍ ମାସର ଘଟଣା ପରେ ଭାରତ ପୁଣି ଥରେ ଆଗୁଆ ପୋଷ୍ଟ ଗୁଡିକରେ ନିଜର ଉପସ୍ଥିତି ଜାହିର କରିଛି । ଭାରତୀୟ ସୈନ୍ୟ ବର୍ତମାନ ଠାକୁର ଠାରୁ ଗୁରୁଙ୍ଗ ହିଲ୍, ସ୍ପାଙ୍ଗରୁର ଗ୍ୟାପ୍ , ମାଗର ହିଲ୍, ମୁଖପାରୀ, ରେଜାଙ୍ଗ ଲା ଏବଂ ରେକିନ୍ ଲା ଯାଏଁ, ଚୁସୁଲ ସେକ୍ଟରର ରିଜ୍ ଲାଇନରେ ଭାରତୀୟ ସୈନ୍ୟ ସୁବିଧା ଜନକ ସ୍ଥିତିରେ ରହିଛନ୍ତି । ସେପଟେ ଭାରତ-ଚୀନ୍ ସୀମା ବିବାଦରେ ଆମେରିକା ତାହାର ପ୍ରତିକ୍ରିୟା ରଖିଛି । ଆମେରିକା କହିଛି ଭାରତର ସୀମା ନୀତି ସ୍ପଷ୍ଟ ଏବଂ ଏହି ପ୍ରସଙ୍ଗରେ ଆମେ ମିତ୍ର ରାଷ୍ଟ୍ର ସହିତ ରହିବୁ । ଆମେରିକାର ବାଇଡେନ୍ ପ୍ରଶାସନ ଏବେ ଭାରତ-ଚୀନ୍ ଏଲଏସି ବିବାଦ ଉପରେ ସତର୍କ ନଜର ରଖିଛି ।