ବିବାଦୀୟ ଲଦାଖ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କରିବ ଚୀନ୍: ଦୁଇ ଦେଶର ଆଲୋଚନା ପରେ ସହମତି ଦେଖାଇଲା ଡ୍ରାଗନ୍

ପ୍ୟୋଙ୍ଗଙ୍ଗ୍ ଅଂଚଳରୁ ପଛକୁ ହଟିବା ନେଇ ଆଗାମୀ ସପ୍ତାହରେ ପୁଣି ହେବ ଆଲୋଚନା

398

କନକ ବ୍ୟୁରୋ: ବିବାଦୀୟ ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସିରୁ ହଟିବ ଚୀନ୍ ସେନା । ଭାରତ ସହିତ ଆଲୋଚନା ପରେ ଏଥିରେ ସହମତି ଦେଖାଇଛି ଚୀନ୍ । ଗଲୱାନ୍ ଘାଟିରୁ ସୈନ୍ୟ ପ୍ରତ୍ୟାହାରକରିଥିଲେ ମଧ୍ୟ ଚୀନ୍ ପ୍ୟାଙ୍ଗୋଙ୍ଗ୍ ଓ ହଟସ୍ପିରିଙ୍ଗ୍ ଅଂଚଳକୁ ପଛକୁ ହଟିନାହିଁ । ସେଠାରେ ଚୀନ୍ ପ୍ରାୟ ୪୦ ହଜାର ସୈନ୍ୟ ମୁତୟନ କରିବା ସହିତ ସ୍ଥାୟୀ ନିର୍ମାଣ କରିଛି । ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ପରେ ଦୁଇ ଦେଶର ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା ହୋଇଛି । ଭାରତ ଓ ଚୀନ୍ ସୀମାରେ ସ୍ଥିରତା ବଜାୟ ରଖିବା ପାଇଁ ହୋଇଥିବା ବୈଠକରେ ଚୀନ୍ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତି ଦେଖାଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନାରେ ଭାରତ ସ୍ପଷ୍ଟ କରିଦେଇଛି ଲଦାଖ ଅଂଚଳରେ ଏହା ଆଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଚୀନ୍ ଏହା ଆଗରୁ ଦୁଇଟି ବୈଠକରେ ଯେଉଁ ସହମତି ଦେଖାଇଥିଲା ତାହାକୁ ପାଳନ କରୁ । ସୀମାରେ ପୂର୍ବ ସ୍ଥିତି ନଫେରିଲେ ଦୁଇ ଦେଶର ସଂପର୍କକୁ ପ୍ରଭାବିତ କରିବ । ଆସନ୍ତା ସପ୍ତାହରେ ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ୍ ମଧ୍ୟରେ ଆଉ ଏକ ବୈଠକ ହେବ ବୋଲି ସୂଚନା ମିଳିଛି । ପାଟ୍ରୋଲିଂ ପଏଂଟ ୧୪, ୧୫ ଏବଂ ୧୭ ଏରୁ ଚୀନ୍ ସୈନ୍ୟ ପ୍ରତ୍ୟାହାର କରିଥିଲେ ମଧ୍ୟ , ପାଟ୍ରୋଲିଂ ପଏଂଟ ୧୪ ପଛକୁ ହଟିବାକୁ ଚୀନ୍ ଚାଲ୍ ଖେଳୁଥିବାରୁ ଚୀନର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଉପରେ ନଜର ରଖିଛି ଭାରତ ।