ସୀମାରୁ ମିଳୁଛି ସାଂଘାତିକ ସଂକେତ । ଭାରତ-ଚୀନ ସୀମାନ୍ତ ଏଲଏସିରେ ଦୀର୍ଘ ଦିନ ଧରି ମୁହାଁମୁହିଁ ସ୍ଥିତିରେ ରହିପାରନ୍ତି ସେନା । ଉଭୟ ପକ୍ଷ ବଢାଉଛନ୍ତି ସାମରିକ ବଳ, ଡୋକଲାମ୍ ଠାରୁ ବି ଅଧିକ ଦିନ ଚାଲିପାରେ ଛକାପଞ୍ଝା ।

705

କନକ ବ୍ୟୁରୋ: ସହଜରେ ଶେଷ ହେବ ନାହିଁ ଭାରତ – ଚୀନ ସୀମା ବିବାଦ । ଗତ ୨୫ଦିନରୁ ଅଧିକ ସମୟ ଧରି ଲଦାଖ ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି । ଉଭୟ ପଟେ ସୈନ୍ୟ ବଳ ବଢାଯାଉଛି । ଅସ୍ତ୍ରଶସ୍ତ୍ର ଠୁଳ କରାଯାଉଛି । ସୀମାରେ ଲାଗି ରହିଥିବା ଏହି ସମସ୍ୟାକୁ ନେଇ କେନ୍ଦ୍ର ସରକାର ମଧ୍ୟ ନିଜ ନିଷ୍ପତିରେ ଅଟଳ ଅଛନ୍ତି । ଯଦି ସୀମାରେ ଚୀନ ନିଜ ଗତିବିଧି ନ ବଦଳାଇବ, ଭାରତ ତାର ଉତର ଦେବାକୁ ପ୍ରସ୍ତୁତ ଅଛି । ଆଉ ଏସବୁ ଦେଖି ଲାଗୁଛି ଏ ସମସ୍ୟାର ସମାଧାନ ଏତେ ସହଜରେ ହେବ ନାହିଁ ।

ଲଦାଖ ସୀମାର ଏହି ୪ଟି ସ୍ଥାନରେ ଗତ ୨୫ ଦିନରୁ ଅଧିକ ସମୟ ଧରି ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି ଭାରତୀୟ ଓ ଚୀନ ସେନା । ଆଉ ଏହି ସମସ୍ୟା ଏତେ ଶୀଘ୍ର ଶେଷ ହେବା ପରି ମନେ ହେଉ ନାହିଁ । ଚୀନ ନିଜ ପଟ ସୀମାରେ ପାଖାପାଖି ୬ହଜାର ସେନା ମୁତୟନ କରି ସାରିଲାଣି । ସେପଟେ ତିବତ ସୀମାରେ ଥିବା ନିଜ ଏୟାରବେସ୍କୁ ମଧ୍ୟ ସଂପ୍ରସାରଣ କରିବାରେ ଲାଗିଛି । ଏପଟେ ଭାରତ ମଧ୍ୟ ଲଦାଖ ସୀମାରେ ନିଜ ସେନା ଠୁଳ କରିବାରେ ଲାଗିଛି । ଭାରତ ସୀମାରେ ନିଜ ଭିତିଭୂମି ସୁଦୃଢ କରିବାରେ ଲାଗିଛି । ଆଉ ଏହାକୁ ସହ୍ୟ କରି ପାରୁନି ଚୀନ । ଡୋକଲାମ ସୀମାରେ ବିବାଦ ପରେ ଏବେ ଲଦାଖ ସୀମାରେ ଚୀନ ସହ ବିବାଦ ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

ମେ ମାସ ଆରମ୍ଭରୁ ଲଦାଖ ସୀମାରେ ଉଭୟ ସେନାଙ୍କ ଭିତରେ ବିବାଦ ଧିରେ ଧିରେ ଆରମ୍ଭ ହୋଇଥିଲା ।

ମେ’ ୫, ପୋଙ୍ଗୟାଙ୍ଗ ହ୍ରଦ

ପାଟ୍ରୋଲିଂ ପାଇଁ ଯାଇଥିବା ଭାରତୀୟ ଯବାନଙ୍କ ବାଟ ଓଗାଳିଥିଲା ଡ୍ରାଗନ୍ ସେନା । ଭାରତୀୟ ଯବାନ ପ୍ରଶ୍ନ କରିଥିଲେ, କିପରି ଚୀନ ସେନା ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖା ପାର କରି ତାଙ୍କ ଅଂଚଳକୁ ଆସିଛି । ସେପଟେ ଚୀନ ସେନା ଦାବି କରିଥିଲା ସେ ସ୍ଥାନ ଚୀନର ।

ମେ’ ୬, ନାକୁ ଲା, ଉତ୍ତର ସିକିମ
ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ଏପରି କି ହାତାହାତିର ଦୃଶ୍ୟ ସାମ୍ନାକୁ ଆସିଲା । ପାଟ୍ରୋଲିଂ ପାଇଁ ଯିବା ସମୟରେ ଉଭୟ ସେନା ମଧ୍ୟରେ ଝଗଡା ହୋଇଥିବା ଜଣା ପଡିଥିଲା ।
ମେ’ ୧୨, ଲଦାଖ
ଚୀନ ସେନାର ହେଲିକପ୍ଟର ପ୍ରକୃତ ନିୟନ୍ତ୍ରଣ ରେଖାର ଅତି ନିକଟରେ ଉଡିବାର ଦେଖିବାକୁ ମିଳିଲା । ଏହାର ଯବାବ ଦେବାକୁ ଯାଇ ସୀମାରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ପାଟ୍ରୋଲିଂ କରିବା ସହ ଚୀନ ହେଲିକପ୍ଟରକୁ ଘଉଡାଇତିଲା ।

ସେନାମୁଖ୍ୟ ଜେନେରାଲ ମନୋଜ ନରଭଣେ, ଲେହ ସ୍ଥିତ ମୁଖ୍ୟାଳୟ ଭ୍ରମଣ କରିବା ସହ ଲଦାଖ ସୀମାରେ ଲାଗି ରହିଥିବା ବିବାଦ ସମୟରେ ତଦାରଖ କରିଥିଲେ ।
ମେ’ ୨୬, ବେଜିଙ୍ଗ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଧମକ । କୌଣସି ବି ପରିସ୍ଥିତିରେ ଚୀନ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ପରୋକ୍ଷ ଭାବେ ଭାରତକୁ ଧମକାଇଥିଲେ ଜିନ୍ପିଙ୍ଗ ।
ମେ’ ୨୬, ନୂଆ ଦିଲ୍ଲୀ

ସୀମା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରୁରୀ କାଳୀନ ବୈଠକ । ଜାତୀୟ ସୁରକ୍ଷା ଅଧିକାରୀ ଅଜିତ୍ ଡୋଭାଲ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ତିନି ସେନା ପ୍ରମୁଖଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ।

ଜୁନ୍ ୧, ଲଦାଖ

ଚୀନର ଲଢୁଆ ବିମାନ ଲଦାଖ ସୀମାର ଅତି ନିକଟରେ ଉଡିଲା ।

ଏହାରି ଭିତରେ ବେଜିଙ୍ଗ ପ୍ରଥମ ଥର ପାଇଁ ସୀମା ବିବାଦକୁ ନେଇ ଜବାବ ରଖିଛି । ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଜାହୋ ଲିଜିଆନ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛି, ସୀମାରେ ସ୍ଥିତି ସ୍ଥିର ରହିଛି ।