ସୀମାରେ ବଢ଼ିଲା ଶାନ୍ତିର ସମ୍ଭାବନା । ସୈନ୍ୟ ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ସହମତି ହୋଇଥିବା ସୂଚନା, ୩ଟି ପର୍ଯ୍ୟାୟରେ ହେବ ସୈନ୍ୟ ଅପସାରଣ ।

522

କନକ ବ୍ୟୁରୋ : ଲଦାଖ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଚାଲିଥିବା ଛକାପଂଝା ଭିତରେ ଶୀଘ୍ର ସମାଧାନ ବାହାରିବାର ସମ୍ଭାବନା ଦେଖାଦେଇଛି । ପୂର୍ବ ଲଦାଖ ସେକ୍ଟରରୁ ସୈନ୍ୟ ଅପସାରଣ ପାଇଁ ଦୁଇ ଦେଶର ସେନା ସହମତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଷ୍ଟମ କର୍ପସ୍ କମାଣ୍ଡର ସ୍ତରୀୟ ବୈଠକରେ ଏନେଇ ଉଭୟ ପକ୍ଷ ସହମତ ହୋଇଥିବା କୁହାଯାଉଛି ।

ସୀମାରେ ବଢ଼ିଲା ଶାନ୍ତି ସମ୍ଭାବନା । ସୀମାରୁ ସୈନ୍ୟ ଅପସାରଣ କରିପାରନ୍ତି ଭାରତ ଓ ଚୀନ୍ । ଆଲୋଚନାରେ ଉଭୟପକ୍ଷ ମଧ୍ୟରେ ସହମତି ସୂଚନା । ଲଦାଖ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଚାଲିଥିବା ଛକାପଂଝା ସ୍ଥିତିର ଶୀଘ୍ର ସମାଧାନ ବାହାରିପାରେ । ପୂର୍ବ ଲଦାଖ ସେକ୍ଟରରୁ ସୈନ୍ୟ ଅପସାରଣ ପାଇଁ ଦୁଇ ଦେଶର ସେନା ସହମତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଷ୍ଟମ କର୍ପସ୍ କମାଣ୍ଡର ସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି ଓ ସେନା ଅପସାରଣ ନେଇ ଉଭୟ ପକ୍ଷ ସହମତ ହୋଇଥିବା ଏହି ଖବରରେ କୁହାଯାଇଛି ।

ନଭେମ୍ବର ୬ରେ ଚୁସୁଲରେ ଏହି ବୈଠକ ବସିଥିଲା । ଏଥିରେ ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ବୈଦେଶିକ ବ୍ୟାପାର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଯୋଗଦେଇଥିଲେ । ସହମତି ଅନୁସାରେ ଆଗାମୀ ସପ୍ତାହରେ ତିନୋଟି ପର୍ଯ୍ୟାୟରେ ଏହି ସୈନ୍ୟ ଅପସାରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ, ଏଲଏସି ଠାରୁ ଉଭୟ ଦେଶର ସେନା ମୁତୟନ ହୋଇଥିବା ଟ୍ୟାଙ୍କ ସେଠାରୁ ଅପସାରଣ କରିବେ । ଗୋଟିଏ ଦିନ ଭିତରେ ଏହି ଟ୍ୟାଙ୍କ ଅପସାରଣ କରିବାକୁ ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଉଭୟ ଦେଶ ନିଜ ନିଜର ସେନା ଅପସାରଣ କରିବେ । ପ୍ରତିଦିନ ୩୦ ପ୍ରତିଶତ ସେନା ଅପସାରଣ କରିବେ ଉଭୟ ଦେଶ । ଏହି ପ୍ରକ୍ରିୟା ୩ ଦିନ ଧରି ଚାଲିବ । ତୃତୀୟ ପର୍ଯ୍ୟାୟରେ ସମ୍ମୁଖ ଅଂଚଳରୁ ନିଜ ନିଜର ସେନା ହଟାଇବେ । ଏହି ସବୁ ଅପସାରଣ ପ୍ରକ୍ରିୟା ଉପରେ ନଜର ରଖିବେ ଉଭୟ ଦେଶ ।

ତେବେ ସୈନ୍ୟ ଅପସାରଣ ପାଇଁ ଏହି ସହମତି ଚୀନ୍ ପ୍ରକୃତରେ କେତେ ପାଳନ କରିବ ତାହା ହିଁ ମୁଖ୍ୟ ପ୍ରସଙ୍ଗ । କାରଣ ପୂର୍ବରୁ ଚୀନ୍ ପ୍ରତିଶ୍ରୁତି ପାଳନ ନକରିବାର ଏକାଧିକ ନଜର ରହିଛି ।

ଚଳିତବର୍ଷ ଜୁନ ୧୫ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ବିହାର ରେଜିମେଂଟର ଆମର ୨୦ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ପକ୍ଷ ମଧ୍ୟ ବହୁ କ୍ଷତି ସହିଥିଲା । ଚୀନ୍ ପକ୍ଷରୁ ପ୍ରାୟ ୪୦ ସୈନିକ ମୃତାହତ ହୋଇଥିଲେ ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା କହିଥିଲା । ଏହାପରେ ଉଭୟ ଦେଶ ଉତ୍ତେଜନା କମାଇବା ପରେ ଆଲୋଚନା ଆରମ୍ଭ କରିଦେଇଥିଲେ । ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନେଇ ସହମତି ମଧ୍ୟ ହୋଇଥିଲା, ହେଲେ ନିଜ ପ୍ରତିଶ୍ରୁତି ରଖିନଥିଲା ଚୀନ୍ ।