କନକ ବ୍ୟୁରୋ: ଲଦ୍ଦାଖ ସୀମାରେ ଚୀନକୁ ଲାଗିଛି ବଡ ଧରଣର ଧକ୍କା । ଏଯାଏ ଚୀନ୍ ଅନ୍ୟ ଦେଶମାନଙ୍କର ସୀମାରେ ପଶି କିଛି ଅଂଚଳ ଉପରେ କବଜା କରୁଥିଲା । ଏବେ ଭାରତ ଏହି ନୀତି ଚୀନ୍ ଉପରେ ଲାଗୁ କରିଛି । ଏଲଏସି ଅତିକ୍ରମ କରି ଚୀନର କିଛି ଅଂଚଳ ଉପରେ କବଜା କରିନେଇଛି ଭାରତୀୟ ସେନା । ବଡ କଥା ହେଉଛି ଚୀନ୍ ସେନା ମଧ୍ୟ ଏହାକୁ ସ୍ୱୀକାର କରିଛି । ଏପରିକି ପ୍ରାୟ ୫୭ ବର୍ଷ ପରେ ଭାରତ ନିଜେ ହରାଇଥିବା କିଛି ଅଂଚଳକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ଆଣିଛି । ଏବଂ ୧୯୬୨ ଯୁଦ୍ଧ ପରେ ପ୍ରଥମଥର ପାଇଁ ଏମିତି ଘଟିଛି । ସୋମବାର ଚୀନ୍ ସେନା ବିବୃତି ଜାରି କରି କହିଛି ଯେ, ଭାରତୀୟ ସେନା ଏଲଏସି ଅତିକ୍ରମ କରି ଚୀନର କିଛି ଅଂଚଳକୁ ନିଜ ଦଖଲକୁ ନେଇଯାଇଛି । ରେକିନ ମାଉଂଟେନ୍ ପାସ୍ ଓ ହୁନାନ କୋଷ୍ଟ ଉପରେ ଭାରତ କବଜା କରିନେଇଛି ।

Advertisment

ଭାରତୀୟ ସେନା ସେଠାରୁ ପଛକୁ ନହଟିଲେ ପରିସ୍ଥିତି ଆହୁରି ବିଗିଡିଯାଇପାରେ । ପ୍ରକୃତରେ ଏହି ଦୁଇଟି ଅଂଚଳକୁ ଭାରତ ୧୯୬୨ ମସିହା ଯୁଦ୍ଧରେ ହରାଇଥିଲା । ଚୀନ୍ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଭାରତୀୟ ସେନା ଏଲଏସିରେ ଥିବା ପିଏଲଏ ର ଏକ କ୍ୟାମ୍ପ ଉପରେ କବଜା କରିନେଇଛି । ଭାରତୀୟ ସେନା ଲଗାତର ୩ ଘଂଟା ଧରି ସଂଘର୍ଷ କରିଥିଲା ଏବଂ କ୍ୟାମ୍ପକୁ ନିଜ କବଜାକୁ ନେବାରେ ସଫଳ ହୋଇଛି । ଭାରତୀୟ ସେନା ଏଲଏସି ଅତିକ୍ରମ କରିଥିବା ନେଇ ବିଧିବଦ୍ଧ ଭାବେ ସ୍ୱୀକାର କରିନଥିଲେ ମଧ୍ୟ ସେନା ଏଭଳି ପଦକ୍ଷେପ ନେଇଥିବା ପ୍ରତିରକ୍ଷା ସୂତ୍ରରୁ ସୂଚନା ମିଳିଛି ।

ଅଗଷ୍ଟ ୨୯-୩୦ ତାରିଖ ରାତିରେ ଚୀନ ସେନା ପେଙ୍ଗଙ୍ଗ ହ୍ରଦ ନିକଟ ଉଚ ଶିଖର ଉପରେ କବଜା କରିବାକୁ ଯୋଜନା କରିଥିଲା । ଭାରତୀୟ ସେନା ଏହାର ଆଗୁଆ ସୁରାକ ପାଇ ସେଠାରେ ପହଁଚି ଯାଇଥିଲା ଏବଂ ସେହିଅଂଚଳ ଗୁଡିକୁ ଅକ୍ତିଆର କରିନେଇଥିଲା । ଚୁଷୁଲ ସେକ୍ଟରରେ ଏଲଏସି ଅତିକ୍ରମ କରି ଚୀନ୍ ସୀମାର ୪ କିଲୋମିଟର ଭିତରକୁ ଭାରତୀୟ ସେନା ପଶିଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।