ଭାରତ-ଚୀନ ମଧ୍ୟରେ ଆଜି ଉଚ୍ଚସ୍ତରୀୟ ସେନା ବୈଠକ । ଲଦ୍ଦାଖର ମେଲଡୋ ଘାଟିରେ ଆଲୋଚନା ।

118

କନକ ବ୍ୟୁରୋ: ଆଜି ଭାରତ ଓ ଚୀନ ମଧ୍ୟରେ ଉଚ୍ଚସ୍ତରୀୟ ସୈନ୍ୟ ବୈଠକ ହେବ । ଲଦାଖର ପୂର୍ବାଂଚଳରେ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହର ଉପରେ ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବ । ସକାଲ ସାଢେ ୧୦ଟାରେ ମେଲଡୋ ଘାଟିରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଲୋଚନା ଜରିଆରେ ଡେସପାଙ୍ଗ ବୁଲଗେ ଓ ଡେମଚୌକ ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି । ଏଥିସହ ବିବାଦୀୟ ପୋଷ୍ଟରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ଭାରତ ଉଚ୍ଚସ୍ତରୟୀ ସୈନ୍ୟ ବୈଠକରେ ଚାପ ପକାଇବ ।

ଏହା ପୂର୍ବରୁ ଜୁଲାଇ ୩୧ ତାରିଖରେ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟ ଏଲଏସିରେ ଜାରି ଉତେଜନାକୁ ନେଇ ୧୨ତମ ବୈଠକ ହୋଇଥିଲା । ଚୀନ ସୈନ୍ୟ ଦ୍ୱାରା କିଛି ଦିନ ଭିତରେ ଦୁଇ ଥର ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ଭିତରେ ଏହି ବୈଠକ ହେବାକୁ ଯାଉଛି । ଉତ୍ତରାଖଣ୍ଡର ବାରାହୋତି ଓ ଅରୁଣାଚଳପ୍ରଦେଶର ତବାଙ୍ଗ ସେକ୍ଟରରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଗତ ସପ୍ତାହରେ ଅରୁଣାଚଳପ୍ରଦେଶର ତବାଙ୍ଗ ସେକ୍ଟରର ୟାଙ୍ଗଜି ନିକଟରେ କିଛି ସମୟ ପାଇଁ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲା । ପ୍ରୋଟୋକଲ ଅନୁସାରେ ଦୁଇ ଦେଶରେ ସ୍ଥାନୀୟ କମାଣ୍ଡରଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସେହିପରି ଗତ ମାସରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଭାରତୀୟ ସୀମା ଭିତରକୁ ପାଖାପାଖି ଶହେ ଚୀନ ସୈନ୍ୟ ପଶି ଆସିଥିଲେ । ଯାହାକୁ ତୀବ୍ର ବିରୋଧ କରିଥିଲେ ଭାରତୀୟ ଯବାନ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତେଜନା ବଢିଥିଲା । ଏହାପରେ ଗତ ଶନିବାର ସ୍ଥଳସେନାଧ୍ୟକ୍ଷ ଏମଏମ ନରବଣେ ଶନିବାର ଦୁଇ ଦିନିଆ ଲଦାଖ ଗସ୍ତ କରି ସୀମାରେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିଥିଲେ ।