ସୀମା ବିବାବଦ ନେଇ ଭାରତ ଓ ଚୀନ୍ ମଧ୍ୟରେ ବୈଠକ । ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ ଲଗାତର କୂଟନୈତିକ ଓ ସାମରିକ ଆଲୋଚନା ଉପରେ ଜୋର ଦେଲେ ଦୁଇ ଦେଶ

167

କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ଗୁରୁବାର ଆଉ ଏକ କୂଟନୈତିକ ବୈଠକ ଶେଷ ହୋଇଛି । ବୈଠକରେ ସୀମାରୁ ସେନା ଅପସାରଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉପରେ ଦୁଇ ଦେଶ ଜୋର ଦେଇଛନ୍ତି । ଏହା ସହ ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ ଦୁଇ ଦେଶକୁ ଲଗାତର ଭାବେ କୂଟନୈତିକ ଓ ସାମରିକ ଆଲୋଚନା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସୀମାରେ ସମ୍ପୂର୍ଣ୍ଣ ସେନା ଅପସାରଣ ପାଇଁ କାର୍ଯ୍ୟ କରିବାକୁ ଦୁଇ ଦେଶ ରାଜି ହୋଇଛନ୍ତି ।

ଜୁନ୍ ୧୫ରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ କମାଣ୍ଡିଂ ଅଫିସର ସନ୍ତୋଷ ବାବୁଙ୍କ ସହ ଆମର ୨୦ ବୀର ଯବାନ ସହିଦ ହୋଇଥିଲେ । ଚୀନ୍ ପକ୍ଷ ମଧ୍ୟ କ୍ଷତି ସହିଥିଲା । ଆମେରିକା ଗୁଇନ୍ଦା ସଂସ୍ଥାର ଆକଳନ ଅନୁଯାୟୀ ଚୀନ୍ ପକ୍ଷରୁ ପ୍ରାୟ ୩୫ ଜଣ ଯବାନ ମୃତ କିମ୍ବା ଆହତ ହୋଇଥିଲେ । ଏହି ସଂଘର୍ଷ ପରେ ଉତେଜନା କମାଇବାକୁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି । ଭାରତ ଓ ଚୀନ୍ ମଧ୍ୟରେ ବାରମ୍ବାର ବୈଠକ ବସୁଥିଲେ ବି ସୀମାରୁ ସମ୍ପୂର୍ଣ୍ଣ ସେନା ଅପସାରଣ ହୋଇପାରି ନାହିଁ ।

ଯଦିଓ ପୂର୍ବ ଆଲୋଚନାରେ ଉଭୟ ଦେଶ ସୀମାରୁ ସମ୍ପୂର୍ଣ୍ଣ ରୂପେ ସେନା ଅପସାରଣ କରିବାକୁ ରାଜି ହୋଇଥିଲେ, ହେଲେ ବେଜିଂ ଏହି ପ୍ରତିଶୃତି ରଖିବାକୁ ଇଚ୍ଛୁକ ନଥିବା ପରିଲକ୍ଷିତ ହେଉଛି । ପାଗୋଙ୍ଗ ହ୍ରଦ ଅଂଚଳକୁ ନେଇ ଆଲୋଚନା ଆଗକୁ ବଢ଼ିପାରୁ ନାହିଁ । ସେନାରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ କରିବାକୁ ଭାରତ ବାରମ୍ବାର ବେଜିଂକୁ କହିସାରିଛି । ହେଲେ ଚୀନ୍ ଏହାକୁ ମାନୁନାହିଁ । ଚୀନର ଚାଲ୍ ଉପରେ କଡ଼ା ନଜର ରଖିଛନ୍ତି ଆମ ସୈନିକ ।