ଭାରତ-ଚୀନ ସୀମା ବିବାଦ : ସେନା ସ୍ତରୀୟ ବୈଠକରେ ନିଷ୍ପତ୍ତି, ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ

156

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ସୀମା ରେଖା (ଏଲଏସି)କୁ ନେଇ ପୂର୍ବବର୍ଷରୁ ଲାଗି ରହିଥିବା ବିବାଦ ଏବେ ଟିକେ ଥମିବ ବୋଲି ଆଶା କରାଯାଉଛି । ଉଭୟ ଦେଶର ସେନା ସ୍ତରୀୟ ବୈଠକ ପରେ ଏଭଳି ଆଶା କରାଯାଇଛି । ବୈଠକ ପରେ ମିଳିଥିବା ସୂଚନା ମୁତାବକ ଗୋଗ୍ରା ହାଇଟସ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । କହିରଖୁ କି ଗତବର୍ଷ ଏହି ସ୍ଥାନରେ ଉଭୟ ପକ୍ଷର ସେନା ମୁହାଁମୁହିଁ ହୋଇଥିଲେ ।

ମିଳିଥିବା ସୂଚନା ମୁତାବକ ଅନୁଷ୍ଠିତ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ଉପରେ ସହମତି ପ୍ରକାଶ ପାଇଛି । ଯଦି ସୂଚନାକୁ ଆଧାର କରାଯିବ ତେବେ ପେଙ୍ଗାଙ୍ଗ ଅଞ୍ଚଳରୁ ଫେବୃଆରୀ ମାସରେ ଉଭୟ ପକ୍ଷରୁ ସେନା ପ୍ରତ୍ୟାହାର କରାଯାଇଥିଲା । ସେବେଠାରୁ ଗୋଗ୍ରା ଅଞ୍ଚଳରୁ ସେନା ପ୍ରତ୍ୟାହର ନେଇ ପ୍ରୟାସ ଜାରି ରହିଥିଲା । ଏବେ ଏନେଇ ଉଭୟ ଦେଶର ସେନା ସହମତି ପ୍ରକାଶ କରିଥିବାରୁ ଖୁବଶୀଘ୍ର ସେନା ପ୍ରତ୍ୟାହାର ନେଇ ପ୍ରସ୍ତୁତି ଆରମ୍ଭ ହେବ ।

ଅନୁଷ୍ଠିତ ହୋଇଥିବା ସେନା ସ୍ତରୀୟ ବୈଠକରେ ଉଭୟ ଦେଶର ସେନା ପ୍ରତିନିଧି ସୀମା ବିବାଦର ସମାଧାନ ନେଇ ନିଜ ନିଜର ବିଚାର ରଖିଥିଲେ । ଏହି ବୈଠକ ପରେ ସୀମା ବିବାଦ ନେଇ ବୁଝାମଣା ଆଗକୁ ବଢିଛି । ଏହାସହ ଉଭୟ ଦେଶର ଅଧିକାରୀ ବର୍ତମାନର ବୁଝାମଣା ଓ ପ୍ରୋଟକଲ ମୁତାବକ ଏହି ମାମଲାକୁ ଖୁବଶୀଘ୍ର ସମାଧାନ କରିବା ନେଇ କଥାବାର୍ତ୍ତାକୁ ଆଗକୁ ବଢାଇବାକୁ ସହମତି ପ୍ରକାଶ କରିଛନ୍ତି । ଏହାସହ ସୀମାରେ ଶାନ୍ତି ଅବ୍ୟାହତ ରଖିବାକୁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ।