କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତରୁ ମିଳିଲା ଫାଇଦା । ଚୀନର ଉହାନରେ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କ ସହ ଅନୌପଚାରିକ ସମ୍ମିଳନୀର ଦିନର ପରେ ମିଳିଛି କୂଟନୈତିକ ସଫଳତା । ଲଦାଖର ଏଲଏସି ଅର୍ଥାତ ଲାଇନ ଅଫ ଆକଚୁଆଲ କଂଟ୍ରୋଲରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଛି କଥାବାର୍ତା । ସୀମାରେ ଶାନ୍ତି ବଜାୟ ରଖିବାକୁ ଦୁଇ ଦେଶର ସେନା ଅଧିକାରୀ ବିସ୍ତୃତ ଆଲୋଚନା କରିଛନ୍ତି । ନିୟମକୁ ସମ୍ମାନ ଦେଇ ପରସ୍ପର ଭିତରେ ବିଶ୍ୱାସ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରିକି ଉଭୟ ପରସ୍ପରର ଅଧିକ ବିଶ୍ୱାସଭାଜନ ହେବାପାଇଁ ଉଭୟ ପକ୍ଷର ସେନା ଆଗକୁ ଏଭଳି ଅଧିକରୁ ଅଧିକ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ପରେ ପ୍ରଥମଥର ଲାଗି ଦୁଇ ଦେଶର ସେନା ମଧ୍ୟରେ ଏଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଚର୍ଚ୍ଚା ଆଲୋଚନା ହୋଇଛି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ସମୟରେ ଏଥିପାଇଁ ଚୀନ ରାଷ୍ଟ୍ରମୁଖ୍ୟଙ୍କ ସହ ସହମତି ହୋଇଥିଲା ।
ସର୍ବ ପ୍ରଥମେ ଜାଣି ରଖନ୍ତୁ ଏହାର ୮ ମାସ ତଳର ଚିତ୍ର କଣ ଥିଲା ? ଯେତେବେଳେ ଭୁଟାନର ଡୋକଲାମ ଅଂଚଳରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ପ୍ରାୟ ୭୩ଦିନ ଧରି ସୀମାରେ ଏଭଳି ଅଶାନ୍ତିର ଚିତ୍ର ଦୁଇ ଦେଶର ସଂପର୍କକୁ ତିକ୍ତ କରିଦେଇଥିଲା । ଯଦିଓ ଏହାପରେ କୂଟନୈତିକ ଆଲୋଚନା ମାଧ୍ୟମରେ ପରିସ୍ଥିତି ଶାନ୍ତ ହୋଇଥିଲା ଓ ମୁହାଁମୁହିଁ ସ୍ଥିତିରୁ ଓହରିଥିଲେ ଦୁଇ ଦେଶର ସେନା । ହେଲେ ସେବେଠାରୁ ଲାଇନ ଅଫ ଆକଚୁଆଲ କଂଟ୍ରୋଲରେ ଦୁଇ ସେନା ମଧ୍ୟରେ ତିକ୍ତାତା ଲାଗିରହିଥିଲା । ଆଉ ଶେଷରେ ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୋଦି ଓ ଜିନପିଙ୍ଗ ।
ବିଶ୍ୱ ଅର୍ଥନୀତିର ଇଂଜିନିୟର ସାଜିଥିବା ଏସିଆର ଦୁଇ ବୃହତ ଶକ୍ତି ପରସ୍ପର ସହ ହାତ ମିଳାଇ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ଏକମତ ହୋଇଛନ୍ତି । ଯେଉଁଥିପାଇଁ ପ୍ରଥମେ ନିଜ ନିଜ ଭିତରେ ଥିବା ଶତ୍ରୁତାକୁ ଦୂର କରିବା ଜରୁରୀ ଥିଲା । ଆଉ ସେନା ଭିତରେ ଶାନ୍ତି କଥାବାର୍ତା ଆରମ୍ଭ କରି ମୂଳଦୁଆ ପକାଇଛନ୍ତି ନୂଆଦିଲ୍ଲୀ ଓ ବେଜିଂ ।